ମହାନଗର ନିଗମରେ ଅନ୍ତର୍ଭୁକ୍ତ କରିବା ସହ ମୌଳିକ ସୁବିଧା ପ୍ରଦାନ କରିବା ଦାବୀରେ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀର ଅନେକଗୁଡ଼ିଏ ବସ୍ତି ଆଜକୁ ଅନେକ ବର୍ଷ ଧରି ନାନାଦି ସମସ୍ୟାରେ ଜର୍ଜରିତ । କେତେକ ବସ୍ତିରେ ସାମାନ୍ୟ ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ । ଅନେକ ବସ୍ତିରେ ବିଜୁଳି ଆଲୁଅ, ପାଣି ସୁବିଧା ନ ଥିବା ବେଳେ ଅନେକ ବସ୍ତି ବାସିନ୍ଦା ଶିକ୍ଷା ଓ ସ୍ୱାସ୍ଥ୍ୟସେବାରୁ ଏବେ ବି ବଞ୍ଚିତ । ଶହଶହ ହିତାଧିକାରୀ ସରକାରୀ ଯୋଜନା ବିଷୟରେ ଜାଣିପାରୁ ନାହାଁନ୍ତି । ଗମନାଗମନ ସୁବିଧା ଠିକ୍‌ ଭାବେ ପହଞ୍ଚିପାରି ନାହିଁ । ୧୯୯୫ ମସିହାରେ ରାଉରକେଲା ଇସ୍ପାତ କାରଖାନା ଏସବୁ ବସ୍ତି ବାସିନ୍ଦାଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରିଥିଲେ ମଧ୍ୟ ତାହା କେବଳ ଚୁକ୍ତିରେ ରହିଯାଇଛି । ତେଣୁ ଏହି ବସ୍ତିଗୁଡ଼ିକୁ ଅବିଳମ୍ବେ ରାଉରକେଲା ମହାନଗର ନିଗମରେ ସାମିଲ୍‌ କରିବାକୁ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦା ରଘୁନାଥପାଲୀର ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚି ଦାବୀ ଜଣାଇଥିଲେ । ହମିରପୁର, ଲୋହାକେରା, ତୁମକେଲା, ବିଶ୍ରା ଛକ ନିକଟସ୍ଥ ଶିବଶଙ୍କର ବସ୍ତି, ଉତ୍ତମ ବସ୍ତି, ତିଲକା ନଗର, ଫୁଲବାରି ବସ୍ତି, ଚମ୍ପାଗଡ଼ ବସ୍ତି, ଶୀତଳପଡା ବସ୍ତି ସହ ଦକ୍ଷିଣ ରାଉରକେଲାର ଫର୍ଟିଲାଇଜର ଟାଉନସିପ୍‌ ଅଞ୍ଚଳର ଲାଲଟାଙ୍କି, ଲେବର କଲୋନୀ, ଫାୟାରଫାଇଟିଂ କଲୋନୀ, ମଡର୍ଣ୍ଣ ଇଣ୍ଡିଆ, ଲିଙ୍ଗଡ଼ା ବସ୍ତି, କଇଁଠା ବସ୍ତି, କନଷ୍ଟ୍ରକସନ କଲୋନୀ, ବାଲିଯୋଡ଼ି ଅଞ୍ଚଳର କିଛି ଅଂଶ, ଟାଙ୍ଗରପାଲ୍ଲି, ବ୍ରିଟାନିଆ କଲୋନୀ ଆଦିର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏହିସବୁ ବସ୍ତିରେ ନାନାଦି ସମସ୍ୟା ଲାଗି ରହିଛି । ଯେତେ ଅଭିଯୋଗ କଲେ ମଧ୍ୟ ସମାଧାନ ହୋଇପାରୁନାହିଁ । ଏଥିପାଇଁ ଅନେକବାର ଆନ୍ଦୋଳନ, ଅନଶନ ମଧ୍ୟ ହୋଇଛି ମାତ୍ର ଫଳ ମିଳୁନାହିଁ । ଏଣୁ ବାଧ୍ୟ ହୋଇ ଉପରୋକ୍ତ ବସ୍ତି ବାସିନ୍ଦା ବସ୍ତି ଗୁଡ଼ିକୁ ତୁରନ୍ତ ମହାନଗର ନିଗମରେ ଅନ୍ତର୍ଭୁକ୍ତ କରାଗଲେ ଆମ ସମସ୍ୟା ସମାଧାନ ହେବ ବୋଲି ଦାବୀ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ମହାନଗର ନିଗମରେ ଅନ୍ତର୍ଭୁକ୍ତ ହେଲେ ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ଏମାନେ ସିଧାସଳଖ ଅନ୍ତର୍ଭୁକ୍ତ ହେବା ସହ ସରକାରୀ ସୁବିଧା ସୁଯୋଗ ଓ ସହାୟତା ପାଇପାରିବେ । ମହାନଗର କମିଶନର ଡା ଶୁଭଙ୍କର ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଏହି ସମସ୍ୟାର ସମାଧାନ ପାଇଁ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କୁ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଅଞ୍ଚଳ ଆର୍‌ଏସ୍‌ପିର ସମାଧାନ ନ କରିବ ସେ ସବୁ ଅଞ୍ଚଳରେ ରାଉରକେଲା ମହାନଗର ନିଗମ ପକ୍ଷରୁ ସୁବିଧା ସୁଯୋଗ ପ୍ରଦାନ କରାଯିବ । ଏ ନେଇ ଖୁବ୍ ଶୀଘ୍ର ସର୍ଭେ ଆରମ୍ଭ ହେବ ।
ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ସେନା ନେତୃତ୍ୱ ନେଇଥିବା ବେଳେ ସରୋଜ କୁମାର ନାୟକ, ବିଶ୍ବ ରଞ୍ଜନ ରାଉତ, ରାଜଶ୍ରୀ ମହାପାତ୍ର, ବିଷ୍ଣୁ ପ୍ରିୟା ରାଉତ, ପ୍ରତିମା ପାଣିଗ୍ରାହୀ, ରିୟା ବ୍ରାହ୍ମା, ମଞ୍ଜୁ ବାରିକ, ବେବିବାଳା ମହାନ୍ତି, ଲକ୍ଷ୍ମୀ ଦେବୀ ଶତପଥୀ,ଦିପ୍ତି ଅଗ୍ରୱାଲ, ଚଞ୍ଚଳା ସାମଲ, ସରସ୍ଵତୀ ସାମଲ, ସୀତା ମାଝୀ, ମୀନତି ନାୟକ,ଆଶା ଖେଡିଆ,ଏନ.ସି.ଦାସ,ଭୀକାରୀ ବାରିକ,ବାବୁ ମାହାନ୍ତି, ଜଗବନ୍ଧୁ ମହାନ୍ତି,ସିମାଞ୍ଚଳ ଖଣ୍ଡୁଆଳ, ପ୍ରତାପ ପଟ୍ଟନାୟକ, ସୁବାଷ କଂସାରୀ, ନିଲୁ ସେଠୀ, ଜିତେନ ମାଛଖଣ୍ଡ, ସୋନୁ ସିଂ, ରାଜେଶ ଖେଡିଆ, ସୈାରଭ ଜେନା, ରତ୍ନାକର ସାମନ୍ତରାୟ ଓ ସତ୍ୟ ଖାଖା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.