ବରଗଡ଼ ଚିନିକଳକୁ ବିକ୍ରି ନକରି ପୁନଃ ଉଦ୍ଧାର କରିବାକୁ ଦାବୀ କଲା ଆପ୍ : ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ପୁଣି ତେଜିଲା ବରଗଡ଼ ସମବାୟ ଚିନିକଳ ବିକ୍ରି ପ୍ରସଙ୍ଗ । ଏହି ସଂସ୍ଥାକୁ ବିକ୍ରି କରେଇ ନଦେବାକୁ ଆମ୍ ଆଦମୀ ପାର୍ଟି ପୁଣି ଦାବୀ କରି ବରଗଡ଼ ଜିଲ୍ଲାର ମନ୍ତ୍ରୀ ରୀତା ସାହୁଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛି । ବୁଧବାର ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ ସହ ଆଲୋଚନା କରି ଜିଲ୍ଲାର ଏହି କୃଷି ଭିତ୍ତିକ ଶିଳ୍ପକୁ ପୁନଃ ଉଦ୍ଧାର କରିବାକୁ ପ୍ରସ୍ତାବ ଦେଇଛି ଆପ୍ । ଜିଲ୍ଲା ଆବାହକ ଭବାନୀ ସାହୁ ସମେତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟମାନେ ବୟନ ଶିଳ୍ପମନ୍ତ୍ରୀଙ୍କୁ ସାକ୍ଷାତକାର କରିଥିଲେ । ଏକ ଲାଭ ଜନକ ଶିଳ୍ପ ଭାବେ ବରଗଡ଼ ଚିନି ମିଲର ବହୁତ ଖ୍ୟାତି ରହିଆସିଛି ତେଣୁ ଏହାକୁ ବିକ୍ରି ନକରି ପୁନରୁଦ୍ଧାର କଲେ ଲକ୍ଷାଧିକ ଲୋକଙ୍କ ରୋଜଗାର ପାଇବା ସହିତ ଜିଲ୍ଲାର ଅର୍ଥନୀତିରେ ଏକ ସକାରାତ୍ମକ ପ୍ରଭାବ ପଡିବ ବୋଲି ଶ୍ରୀ ସାହୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ବରଗଡ଼ ସମବାୟ ଚିନିକଳ ଏକ ଲକ୍ଷରୁ ଅଧିକ ମେଟ୍ରିକ ଟନ୍ ଆଖୁ କ୍ରସିଂ କରି ରେକର୍ଡ କରି ସାରିଛି । ଲକ୍ଷାଧିକ ଲୋକଙ୍କ ରୋଜଗାରର ସାଧନ ହୋଇ ଆସିଥିବା ଏହି ଫ୍ୟାକ୍ଟ୍ରିର ବଜାର ମୂଲ୍ୟ ବର୍ତ୍ତମାନ ସମୟରେ ୩୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହା ସହିତ ଜଡିତ ଡିଷ୍ଟିଲେରୀ ୟୁନିଟ୍‌ ମଧ୍ୟ ବେଶ୍‌ ଲାଭ ଦାୟକ । ଏହାକୁ ପୁନଃ ଉଦ୍ଧାର କରିବା ପାଇଁ ୨୦୧୮-୧୯ ମସିହାରେ ବରଗଡ଼ ଗସ୍ତରେ ଆସି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋହେଲା ଇଛାପାଲିରେ ଚିନିକଳ ପାଇଁ ୧୧ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ କାରଣ ସରକାରକୁ ଏହା ଜଣା ଯେ, ଉକ୍ତ ସଂସ୍ଥାଟି ଲାଭ ଜନକ ଅଟେ । ପୂର୍ବରୁ ସଚିବ ଓ ମନ୍ତ୍ରୀସ୍ତରୀୟ ବୈଠକ ହୋଇ ବରଗଡ଼ ସମବାୟ ଚିନିକଳକୁ ଉଦ୍ଧାର କରିବାକୁ ସବୁଜ ସଙ୍କେତ ଦେଇ ସାରିଥିଲେ କିନ୍ତୁ କେଉଁ କାରଣରୁ ଏହାକୁ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଲେ ତାହା ବରଗଡ଼ବାସୀଙ୍କ ବୁଝିବା ବାହାରେ । ତେଣୁ ଏହି ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରି ଏହି ଅଂଚଳରେ ବ୍ୟାପକ ଆଖୁ ଚାଷକୁ ପ୍ରୋତ୍ସାହନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ ଏବଂ ସମସ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରି ବରଗଡ଼ର ପୂର୍ବ ଗୌରବକୁ ଫେରାଇ ଆଣନ୍ତୁ ବୋଲି ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ପାତ୍ର, ସ୍ୱରୂପ ଭୋଇ, ଅବିନାଶ ବାଗ, ମରିୟମ ବାର୍ଲା, ରାମ ବିଶ୍ୱାଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.