ଦଳିତ ଓ ମହିଳାଙ୍କ ପ୍ରତି ଅତ୍ୟାଚାର ବିରୁଦ୍ଧରେ ପଶ୍ଚିମ ଓଡିଶା ମହିଳା ସଂଘର ଧାରଣା, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
- ନ୍ୟାୟ ଦାବୀରେ ସ୍ନେହଲତା ଛତ୍ରୀଆଙ୍କ ବାପା ମା’ ଧାରଣାରେ ସାମିଲ
ବଲାଙ୍ଗିର, (ଦେବାଶିଶ ମିଶ୍ର) : ଦେଶରେ ଦଳିତ ଓ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବା ଅଭିଯୋଗ କରି ଆଜି ପଶ୍ଚିମ ଓଡିଶା ମହିଳା ସଂଘ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୪ଦଫା ସମ୍ମଳିତ ଦାବୀପତ୍ର ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରେରଣ କରିଛି । ପଶ୍ଚିମ ଓଡିଶା ମହିଳା ସଂଘର ସଭାନେତ୍ରୀ ସବିତା ନନ୍ଦ ଓ ସଂପାଦିକା ସୁଷମା ବଏଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇ ଦଳିତ ଓ ମହିଳାଙ୍କ ପ୍ରତିବଢୁଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ମୁଖ୍ୟତଃ ସରକାରୀ ଉଦସୀନତା ବିରୁଦ୍ଧରେ ସ୍ୱର ଉଠାଇ ଏଭଳି ମାମଲା ଗୁଡିକର ସ୍ୱତନ୍ତ୍ର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଦାବୀଗୁଡିକ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ସର୍ଗିପାଲି ଗାଁର ଗଣଧର୍ଷଣ ଓ ହତ୍ୟାର ଶିକାର ହୋଇଥିବା ଦଳିତଛାତ୍ରୀ ସ୍ନେହଲତା ଛତ୍ରୀଆଙ୍କୁ ନ୍ୟାୟ ଦେବା, ରାଜସ୍ଥାନର ମୃତ ଦଳିତ ଛାତ୍ର ଇନ୍ଦ୍ରକୁମାର ମେଘୱାଲ, କଳାହାଣ୍ଡି ଗୋଲାମୁଣ୍ଡାର କନକ ନିଆଲ ଧର୍ଷଣ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଫାସି ଦେବାକୁ ଦାବୀ କରାଯାଇଛି । ଏହି ଧାରଣାରେ ସାମିଲ ହୋଇଥିବା ଦଳିତ ମହିଳା ଓ ନେତାଗଣ ଅଭିଯୋଗ ଉଠାଇଥିଲେ ଯେ, ଦେଶ ଆଜି ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସେପଟେ ଦଳିତ ଓ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଛି । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏଭଳି ଘଟଣାରେ ଉଦାସୀନ ରହୁଛନ୍ତି । ଫଳରେ ଦଳିତଙ୍କ ଉପରେ ଅତ୍ୟାଚାର ବଢୁଛି । ଏପରିକି ଖୋଦ କେନ୍ଦ୍ର ଓ ରାଜ୍ୟରେ ଶାସନାଧୀନ ଭାଜପା ସରକାର ବିଲିକସ୍ ବାନୋ ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଜେଲରୁ ଖଲାସ କରାଇଛନ୍ତି । ଏଭଳି ଘଟଣା ଦେଶରେ ଧର୍ଷଣକାରୀ ଓ ହତ୍ୟାକାରୀଙ୍କୁ ପ୍ରୋତ୍ସାହିତ କରୁଛି । ସେହିପରି ଗତ ୭ବର୍ଷ ହେଲା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସର୍ଗିପାଲି ଗ୍ରାମର ଦଳିତ ନାବାଳିକା ଛାତ୍ରୀ ସ୍ନେହଲତା ଛତ୍ରୀଆଙ୍କୁ କେତେକ ଦୁର୍ବୃତ୍ତ ଅମାନୁଷିକ ଭାବରେ ଧର୍ଷଣ କରି ହତ୍ୟାକରି ଫିଙ୍ଗି ଦେଇଥିଲେ । ସେହି ଘଟଣାର ସଠିକ ତଦନ୍ତ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । କ୍ରାଇମବ୍ରାଞ୍ଚର ନିସ୍କ୍ରୀଏୟତା ଆହୁରି କଷ୍ଟଦାୟକ ବୋଲି ଆଜି ଧାରଣାରେ ସାମିଲ ହୋଇଥିବା ମୃତ ସ୍ନେହଲତାର ବାପା ଆର୍ତ୍ତ ଛତ୍ରୀଆ ଓ ମାଆ ଡାଳିମ୍ବ ଛତ୍ରୀଆ ଅଭିଯୋଗ କରିଥିଲେ । କଳାହାଣ୍ଡି ଗୋଲାମୁଣ୍ଡାରେ ଗତ ଦୁଇଦିନ ତଳେ କନକ ନିଆଲ ନାମ୍ନୀ ଜଣେ ଦଳିତ ନାବାଳିକାଙ୍କୁ ଦୁସ୍କର୍ମ କରି ହତ୍ୟା କରାଯାଇଛି । ଏହି ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବୀ କରାଯାଇଥିଲା । ଦଳିତଙ୍କୁ ଓ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାର ଘଟଣାରରେ ସରକାରୀକଳର ଉଦାସୀନତାକୁ ସମସ୍ତେ କଡାସମାଲୋଚନା କରିବା ସହିତ ନୀରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ ଫାସିଦଣ୍ଡ ଦେବାକୁ ଦାବୀ କରାଯାଇଥିଲା । ଏହା ସହିତ ଦେଶର ସ୍ୱାଧୀନତାକୁ ୭୫ବର୍ଷ ପୁରିଥିଲେ ହେଁ ଦଳିତଙ୍କୁ ଉଚିତ ତଥା ସମାନ ଅଧିକାର ମିଳିନାହିଁ । ଆଜି ମଧ୍ୟ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଛି । ସମ୍ବିଧାନର ୧୭ ଧାରା ଅନୁଯାୟୀ ସମସ୍ତଙ୍କୁ ଜାତିଗତ ସ୍ତରରେ ସମାନ ଅଧିକାର ପ୍ରଦାନ କରିବାକୁ ଦାବୀ କରାଯାଇଛି । ଏହିସବୁ ଦାବୀକୁ ନେଇ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରେରଣ କରାଯାଇଥିଲା । ସମାଜବାଦୀ ପାର୍ଟିର ଜିଲ୍ଲା ସଭାପତି ତଥା ଦଳିତନେତା ଦ୍ରୋଣ କୁମ୍ଭାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସର ବୀରେନ୍ଦ୍ର ବାଗ, ଗଣ୍ଡାବଜା ପତ୍ରୀକାର ସଂପାଦକ ତ୍ରୀଲୋଚନ ନନ୍ଦ, ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଲଳିତା ଦୀପ, କୁନା ବାଗ, ଭୁବନ ନାଗ, ବାସୁଦେବ ମୁଗ୍ରୀ, ନେପାଳ ବାଗ, କାର୍ତ୍ତିକ ନାଗ, ନଳୀନି ଦୀପ, ଶ୍ରୀକାନ୍ତ ମୁଗ୍ରୀ, ଚିନୁ ହରପାଲ, ଆର୍ତ୍ତ ଛତ୍ରୀଆ, ଡାଳିମ୍ବ ଛତ୍ରୀଆ ପ୍ରମୁଖଙ୍କ ସହିତ ଶତାଧିକ ପୁରୁଷ ମହିଳା ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ କଚେରୀଛକସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।