ମୁରିବାହାଲ ଷ୍ଟେସନରେ ପୁରୀ-ଦୁର୍ଗ ଓ ଲିଙ୍କ ଏକ୍ସପ୍ରେସ ଟ୍ରେନ ରହଣୀ ଦାବୀରେ ରେଳ ଅଧିକାର ମଞ୍ଚ ପକ୍ଷରୁ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ : ୧୫ ଦିନ ମଧ୍ୟରେ ଦାବୀପୁରଣ ନ ହେଲେ ରେଳ ରୋକ ଚେତାବନୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳ ଷ୍ଟେସନରେ ମହାମାରୀ କୋଭିଡ ପରେ ସଂପୂର୍ଣ୍ଣ ରୁପେ ବନ୍ଦ କରି ଦିଆଯାଇଥିବା ଦୁଇ ଏକ୍ସପ୍ରେସ ଟ୍ରେନ ପୁରୀ-ଦୁର୍ଗ (ନଂ ୧୮୫୧୭-୧୮୫୧୮) ଓ କୋର୍ବା-ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ (୧୮୪୨୫-୧୮୪୨୬)ର ପୁଣିଥରେ ରହଣୀ ଦାବୀରେ ମୁରିବାହାଲ ରେଳ ଅଧିକାର ମଞ୍ଚ ପକ୍ଷରୁ ପୁଣି ଏକ ଦାବିପତ୍ର ଆଜି ସମ୍ବଲପୁର ଡିଆର୍‌ଏମ୍‌ଙ୍କୁ ରେଳ ଷ୍ଟେସନ ମ୍ୟାନେଜର ରଞ୍ଜନ କୁମାର ଜେନାଙ୍କ ଜରିଆରେ ପ୍ରଦାନ କରାଯାଇଛି । ୧୯୩୦ ମସିହାରେ ସ୍ଥାପିତ ଏହି ଷ୍ଟେସନ ଉପରେ ମୁରିବାହାଲ ସମେତ ପଡୋଶୀ ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକ ଅଞ୍ଚଳର ଯାତ୍ରୀ ନିର୍ଭର କରିଥାନ୍ତି । ଏହି ଦୁଇ ଏକ୍ସପ୍ରେସ ଟ୍ରେନ ସ୍ୱତନ୍ତ୍ର ଟ୍ରେନ ରୂପେ ମୁରିବାହାଲ ଷ୍ଟେସନ ଦେଇ ଚଳାଚଳ କରୁଥିଲେ ମଧ୍ୟ କୋଭିଡ କଟକଣା ପାଇଁ ମୁରିବାହାଲ ଷ୍ଟେସନ ସମେତ କେତେକ ଷ୍ଟେସନରେ ରହଣୀ ବନ୍ଦ କରିଦିଆଯାଇଛି । ଫଳରେ ସାଧାରଣ ଯାତ୍ରୀଠାରୁ ଆରମ୍ଭ କରି ବ୍ୟବସାୟି, ଛାତ୍ରଛାତ୍ରୀ, ରୋଗୀ, ତୀର୍ଥଯାତ୍ରୀ ଆଦି ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଷ୍ଟେସନ ଆଖପାଖ ଅଞ୍ଚଳରେ ଛୋଟ ଛୋଟ ଚା, ପାନ ତଥା ହୋଟେଲ ଆଦି କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଛୋଟ ବ୍ୟବସାୟିମାନେ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି । ମୁରିବାହାଲ ରେଳ ଅଧିକାର ମଞ୍ଚ ତଥା ଜନସାଧାରଣଙ୍କ ଦୀର୍ଘ ଦିନର ଦାବୀ ପରେ ପୁରୀ-ଦୁର୍ଗ ଏକ୍ସପ୍ରେସ ମୁରିବାହାଲ ଷ୍ଟେସନରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗତ ତା୧୪/୦୨/୨୦୧୯ରିଖ ଦିନ ପ୍ରଥମେ ରହଣୀ ଆରମ୍ଭ କରିଥିଲା । ସେହି ଦିନଠାରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଟ୍ରେନ ସେବା ଠିକ ଭାବେ ଚାଲିବା ପରେ ଗତ ୨୦୨୦ ବର୍ଷ ମାର୍ଚ୍ଚ ମାସରୁ କୋଭିଡ କଟକଣା ଲାଗୁ ଯୋଗୁଁ ରହଣୀ ବନ୍ଦ ହୋଇଯିବା କାରଣରୁ ଲୋକଙ୍କୁ ଏହି ଟ୍ରେନ ଚଢିବା ପାଇଁ ଖର୍ଚ୍ଚାନ୍ତ ହୋଇ ଟିଟିଲାଗଡ଼ କିମ୍ବା କଣ୍ଟାବାଞ୍ଜି ୨୫କିମି ଲେଖାଁଏ ଯିବାକୁ ପଡୁଛି । କେବଳ ପାସେଞ୍ଜର ଛଡା ଅନ୍ୟ ସମସ୍ତ ଏକ୍ସପ୍ରେସ ଟ୍ରେନ ବନ୍ଦ ରହିଥିବାରୁ ଯାତ୍ରୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା ପୂର୍ବରୁ ମଧ୍ୟ ବହୁବାର ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଥିଲେ ମଧ୍ୟ ରେଳ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। ଏହି ଦାବୀପତ୍ରର ଏକକିତା ବଲାଙ୍ଗିର ଲୋକସଭା ସାଂସଦ, କେନ୍ଦ୍ର ରେଳମନ୍ତ୍ରୀ ଓ ବଲାଙ୍ଗିର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଏଣୁ ଆଗାମୀ ୧୫ ଦିନ ମଧ୍ୟରେ ଦୁଇ ଏକ୍ସପ୍ରେସ ଟ୍ରେନର ମୁରିବାହାଲରେ ରହଣୀ କରା ନ ଗଲେ ବାଧ୍ୟ ହୋଇ ମୁରିବାହାଲ ରେଳ ଅଧିକାର ମଞ୍ଚ ଓ ସାଧାରଣ ଯାତ୍ରୀମାନଙ୍କ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳପାଇଁ ରେଳ ରୋକ କରିବାକୁ ଚରମ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ବେଳେ ମୁରିବାହାଲ ରେଳ ଅଧିକାର ମଞ୍ଚ କାର୍ଯ୍ୟକାରୀ ସଭାପତି ତଥା ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀବତ୍ସ ବେହେରା, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ମଞ୍ଚ ଉପସଭାପତି ଗଙ୍ଗାଧର ହେର୍ଣା, ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର, ଭରତ ଦାସ, ସମ୍ପାଦକ ପଦ୍ମଲୋଚନ ବାଗ, ପ୍ରଦୀପ ବଘାର, ନେପାଳ ସାହୁ, ସୁଜିତ ପାଢ଼ୀ, ନାରାୟଣ ସାହୁ, ଅନୀଲ ଶର୍ମା, ମନୋଜ କୁମାର ନାଗ, ଲିଲାଧର ଶର୍ମା, ଦୁର୍ଯ୍ୟୋଧନ ନାଗ, ସୁଧୀର ପାଣି, କିଶୋର ବିଶି, ଦୀପକ ହାତୀ, ରାଜୀବ କୁଅଁର, ଭୀଷ୍ମରାଜ ମେହେରଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧି ଓ ଶତାଧିକ ସାଧାରଣ ଯାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.