
ଆନନ୍ଦପୁର : ଡାକ୍ତରଖାନାରେ ୨ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚାଲିଗଲା ବିବାହିତା ମହିଳାଙ୍କ ଜୀବନ । ଯୌତୁକ ଜନିତ କାରଣରୁ ଝିଅକୁ ବିଷଦେଇ ମାରିଦେଇଥିବା ଅଭିଯୋଗ କରି ଥାନା ଦୁଆରେ ମୃତଦେହ ରଖି ନ୍ୟାୟ ଦାବି କରିଛନ୍ତି ବାପଘର ଲୋକେ । ସେପଟେ ସ୍ୱାମୀ କିମ୍ବା ଶାଶୁ ଘର ଲୋକେ ଏବେ ଧରାଛୁଆଁ ଦେଉ ନାହାନ୍ତି । ଏଭଳି ଏକ ଅଭାବନିୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଝାଡୁକୁଣ୍ଡି ଗାଁରେ । ଗତ ୨୦୨୦ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ମାଳତିରା ଗାଁର ରବିନ୍ଦ୍ର ପଣ୍ଡାଙ୍କ ଝିଅ ରଶ୍ମିତା ସହ ଝାଡୁକୁଣ୍ଡି ଗାଁର ମଙ୍ଗୁଳୀ ପଣ୍ଡାଙ୍କ ପୁଅ ଶିବାନନ୍ଦଙ୍କ ସହ ବିବାହ ହୋଇଥିଲା । ପ୍ରଥମେ ପ୍ରଥମେ ସବୁ ଠିକ୍ ଚାଲିଥିବାବେଳେ କିଛି ମାସହେବ ଅଧିକ ଯୌତୁକ ଦାବି କରିଥିଲେ ସ୍ୱାମୀ ଓ ଶାଶୁଘର ଲୋକେ । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ମନମାଳିନ୍ୟ ରହିଥିଲା । ତେବେ ଗତ ୩ ତାରିଖରେ ରଶ୍ମିତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ଠାରେ ଭର୍ତ୍ତି କରାଯାଇଥଲା । ବାପ ଘରକୁ ଖବର ଦେବା ପରେ ବାପଘର ଲୋକେ ମେଡିକାଲରେ ପହଞ୍ଚିବା ପରେ ଶାଶୁ ସେଠାରୁ ଛୁ ମାରିଥିଲେ । ଦୁଇ ଦିନ ଚିକିତ୍ସାପରେ ରଶ୍ମିତାର ମୃତ୍ୟୁ ଘଟିଛି । ଯୌତୁକ ପାଇଁ ବିଷ ଦେଇ ଶାଶୁଘର ଲକେ ମାରିଦେଇଥିବା ଘଷିପୁରା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ ।