jayashree

ପୁଣି ତେଜିଲା ପାଇକମାଲକୁ ଏନଏସି ଘୋଷଣା, ସିଏଚସି ଓ ଗ୍ରୀଡ ସ୍ଥାପନ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନାଗରିକ କମିଟି ଏକ ପ୍ରତିନିଧି ମଣ୍ଡଳ ପାଇକମାଲ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବରଗଡ ଜିଲ୍ଲାପାଳ ଏବଂ ପୋଲିସ ଅଧିକ୍ଷକଙ୍କୁ ଭେଟି ୫ ଦଫା ଦାବୀପତ୍ର ପ୍ରଦାନ ପୂର୍ବକ ଆଲୋଚନା କରିଥିଲେ । ଉକ୍ତ ଦାବୀ ମଧ୍ୟରେ ପାଇକମାଲକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର, ୧୩୨/ ୩୩ କେଭି ଗ୍ରୀଡ ସ୍ଥାପନ ଅନ୍ୟତମ । ପୁନଶ୍ଚ ଜେଏମଏଫସି କୋର୍ଟ ପାଇଁ ଦିଆଯାଇଥିଲା । ପୁରୁଣା ବ୍ଲକ କାର୍ଯ୍ୟଳୟର ମରାମତି କାର୍ଯ୍ୟାରମ୍ଭ, ପଦ୍ମପୁର ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଓ ବେଆଇନ ଭାବେ ବିକ୍ରି ହେଉଥିବା ନିଶା ଔଷଧ, ଇଞ୍ଜେକସନ, କଫ ସିରଫ ଆଦି ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳ ଏହା ଉପରେ ବିଭାଗୀୟ ଅଧିକାରୀଙ୍କୁ ଉଚିତ୍‌ ପଦକ୍ଷେପ ନେବାକୁ ତଥା ଉକ୍ତ ଦାବୀପତ୍ର ସରକାରଙ୍କ ପାଖକୁ ପ୍ରେରଣ କରି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉକି, ଏହା ପୂର୍ବରୁ ଅନେକ ଥର ଏନଏସି, ସିଏଚସି, ଗ୍ରୀଡ ସ୍ଥାପନ ପାଇଁ ଅଞ୍ଚଳବାସୀ ରାଜ୍ୟ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଦାବୀପତ୍ର ପ୍ରଦାନ ତଥା ଆଲୋଚନା ସମୟରେ ପାଇକମାଲ ନାଗରିକ କମିଟିର ବିନୋଦ କାଲିଆ, ରାଜ କିଶୋର ସାହୁ, ସନ୍ତୋଷ ପାଣିଗ୍ରାହୀ, ସୁଶାନ୍ତ ନାଗ, ଆକାଶ ପାଣିଗ୍ରାହୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.