ଖଲ୍ଲିକୋଟ ବ୍ଲକର ବାଣିଆ ଗ୍ରାମ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ମହାଦୁର୍ନୀତି ଅଭିଯୋଗ : ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୋଭିଡ ସମୟରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ଲୋକଙ୍କୁ କାମ ଯୋଗାଇବା ପରିବର୍ତ୍ତେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ‘ମନରେଗା’ ଯୋଜନାରେ ବାଣିଆ ଗ୍ରାମ ପଞ୍ଚାୟତରେ ବହୁ ଅର୍ଥ ଆତ୍ମସାତ ହୋଇଥିବା ଗ୍ରାମବାସୀ ତଥା ଗ୍ରାମର ଏକ ପ୍ରତିନିଧିଦଳ ଆସି ଗଞ୍ଜାମ ଜିଲ୍ଲାପାଳଠାରେ ବୁଧବାର ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରଶାସନକୁ କାଗଜ ପତ୍ର, ବିଲ/ ଭାଉଚର ଶୋ କରି ବାଟମାରଣା କରିବା ସହ ମହା ଦୁର୍ନୀତି ହୋଇଥିବା ବାଣିଆ ଗ୍ରାମର ଯୁବ ଗୋଷ୍ଠୀ ଓ ବୃଦ୍ଧିଜୀବୀ ଅଭିଯୋଗ ଆଣିଛନ୍ତି । ବାଣିଆ ଗ୍ରାମରେ କଣ୍ଡରାବନ୍ଧ ପୁନଃ ଉଦ୍ଧାର ସହ ପାହାଚ ନିର୍ମାଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୧୦ ଲକ୍ଷ ଟଙ୍କାରୁ ୬ ଲକ୍ଷ ୬୦ ହଜାର ୮ ଶହ ୮୦ ଟଙ୍କା ବିଲ୍ ହୋଇଯାଇଥିବା ବେଳେ ମାଟି ପଙ୍କ ମୁଠାଏ ଉଠିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀବୃନ୍ଦ । ଏହାର ପୁଙ୍ଖାନୁପୁଙ୍ଖ ସର୍ଭେ କରିବା ସାଂଗକୁ ଉଚ୍ଚସ୍ତରୀୟ ତଦନ୍ତ କରିବା ଦାବୀ ନେଇ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲୀନା କୁମାରୀ ଖେସ୍‌ଙ୍କୁ ଭେଟି ପ୍ରଦାନ କରିଛନ୍ତି । କଣ୍ଡରା ବନ୍ଧର ପାଣି ଶୁଖାନଯାଇ କିପରି ପୁନଃ ଉଦ୍ଧାର ହେଲା ଓ ମନରେଗା ଟଙ୍କା କାମ ନକରି କିପରି ଲୋକଙ୍କ ଖାତାକୁ ଗଲା ସେନେଇ ସେମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହିତ ବାଣିଆ ଗ୍ରାମ ପଞ୍ଚାୟତର ପାନୀୟ ଜଳ ସମସ୍ୟା ଜଟିଳ ହୋଇପଡିଛି । ପରିମଳ ଅବ୍ୟବସ୍ଥା ଅବର୍ଣ୍ଣନୀୟ ବୋଲି କହିଛନ୍ତି । ଯବକାର୍ଡ ଧାରୀଙ୍କ ଠାରୁ ଜୋରଜବରଦସ୍ତ ଦଲାଲ ମାନେ କାର୍ଡ ନେଇ ପାଖରେ ରଖି ବିଭିନ୍ନ ଯୋଜନାର ଟଙ୍କା ହଡପ କରିବା ସହ ସେମାନଙ୍କ ରାସନ କାର୍ଡ କାଟିଦେବା ଏବଂ ମାରପିଟ ନିମନ୍ତେ ଭୟଭୀତ ମଧ୍ୟ କରୁଥିବା ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ।

ଗ୍ରାମର ଯୁବ ଗୋଷ୍ଠୀ ମନରେଗା ୱେବ ସାଇଟ୍‌ରୁ କଣ୍ଡରାବନ୍ଧ କାମ ହୋଇଥିବା ଜାଣିବା ପରେ ବିଭାଗୀୟ ଅଧିକାରୀ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିଲା । ଯାହା ଫଳରେ ସେମାନେ ବାଧ୍ୟ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏପରିକି ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ନେଇ ଯୁବ ଗୋଷ୍ଠୀମାନେ ଅଭିଯୋଗ କରିବା ସହ ଏଥିରେ ବିଭାଗୀୟ ଅଧିକାରୀ ଓ କିଛି ପ୍ରତିନିଧି ମାନେ ଜଡିତ ଥିବା ମଧ୍ୟ କହିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ବାଣିଆ ଗ୍ରାମର ଶତୃଘନ ଗୌଡ, ସିମାଞ୍ଚଳ ଗୌଡ, ତପନ ଗୌଡ, ପଞ୍ଚୁ ଗୌଡ, ବଳିଆ ଗୌଡ, ଜୟ ଗୌଡ, ରମେଶ ଗୌଡ, ଦୁର୍ଯ୍ୟୋଧନ ଗୌଡ, ବୁଦ୍ଧିଆ ଗୌଡ, ମୁନା ଗୌଡ, ଗୟା ଶଙ୍କର ଯାଦବ, ମଣ୍ଟୁ ଗୌଡ ଓ ଉମା ଶଙ୍କରଙ୍କ ସମେତ ବହୁ ଯୁବକ ଓ ବୃଦ୍ଧିଜୀବୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ । ପରେ ଏହାର ଏକକିତା ନକଲ ଦାବୀ ପତ୍ର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଉଦ୍ଦେଶ୍ୟରେ ବିହିତ କାର୍ଯ୍ୟାନୁଷ୍ଠାନ ଦିଗରେ ପ୍ରଦାନ କରାଯାଇଥିବା ବିଷୟରେ ବାଣିଆ ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.