centurian jitm

ବିଧବା ଓ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ ପାଇଁ ଦାବୀ

nschool

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ରାଣୀମୁଣ୍ଡା ଗ୍ରାମପଞ୍ଚାୟତର ମାଝିପଡା ଗ୍ରାମରେ ସମସ୍ତେ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ ଆଜିବି ଦାରିଦ୍ର୍ୟ ସୀମାରେଖା ତଳେ ରହି ଜୀବନ ନିର୍ବାହ କରୁଛନ୍ତି । କିନ୍ତୁ ଏଠାରେ ପ୍ରାୟ ୧୫/୨୦ ଜଣ ବୃଦ୍ଧ ବୃଦ୍ଧା ବିଧବା ଓ ଦିବ୍ୟାଙ୍ଗ ମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଭତ୍ତା ଟିଏ ପାଇବା ପାଇଁ ବହୁବାର ଆବେଦନ ପତ୍ର ଦେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି । ୱାର୍ଡ ସଭ୍ୟ, ପିଇଓ, ପଞ୍ଚାୟତ ସରପଞ୍ଚଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ଦୌଡ଼ି ହଇରାଣ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗ୍ରାମର ପଦ୍ମିନୀ ମାଝି (୪୦) ନାମକ ବିଧବା ମହିଳାଙ୍କ ସ୍ବାମୀ ଅଜଣା ରୋଗରେ ପଡ଼ି ଗତ ୨ ବର୍ଷ ହେବ ମୃତ୍ୟୁ ବରଣ କରି ସାରିଛନ୍ତି । ଭତ୍ତା ପାଇବା ପାଇଁ ଆବେଦନ କରି ଅନେକ ଥର ପ୍ରଶାସନ ନିକଟରେ ହାରିଗୁହାରି କରିଛନ୍ତି, ହେଲେ ଆବେଦନ କରି ନିରାଶ ହେବାପରେ ଭାଗ୍ୟକୁ ଆଦରି ଘରେ ପଡ଼ି ରହି ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ସେହିପରି ଗ୍ରାମର ଭୋଲା ମାଝି (୮) ଓ ରେଣୁକା ମାଝି (୭) ନାମକ ଦୁଇ ଦିବ୍ୟଙ୍ଗ ଭାଇ ଭଉଣୀ ଦିବ୍ୟାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ଜନ୍ମରୁ ମୂକ ଓ ବଧିର ଥିବା ବେଳେ ଏହି ଯୋଜନାରେ ସାମିଲ ହେବା ପାଇଁ ଶତ ପ୍ରତିଶତ ଡାକ୍ତର ପ୍ରମାଣ ପତ୍ର ଥିବା ବେଳେ ଅନେକ ଥର ଆବେଦନ ପତ୍ର ପ୍ରଦାନ କରିଛନ୍ତି ହେଲେ ଆବେଦନ ପତ୍ର ନାଲିଫିତା ତଳେ ରହି ଯାଇଛି ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି । ସେହିପରି ଗ୍ରାମର ଭରତ ମାଝି (୬୩), କୌଶଲ୍ୟା ମାଝି (୬୪), ବଦନ ମାଝି (୬୩), ମଥୁରା ମାଝି (୬୨), ନମିନା ମଝୀ (୬୩), ଚଞ୍ଚଳା ମାଝି (୬୭) ଗୁରୁବାରି ମାଝି (୬୩) ସମେତ ଗ୍ରାମର ଅନେକ ଅସହାୟ ଗରିବ ଲୋକଙ୍କ ଭତ୍ତା ମିଳିପାରି ନାହିଁ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି । ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ଦେବବ୍ରତ ସୂପକାରଙ୍କୁ ପଚାରିବାରୁ ଆବେଦନ ପତ୍ର ବ୍ଲକ କାର୍ଯ୍ୟାଳୟରେ ଦିଆଯାଇଛି । ଏମାନଙ୍କ ଭତ୍ତା ଯଥା ଶୀଘ୍ର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.