- ଦେଶରେ ଦେଢ଼ କୋଟି ଆଦିବାସୀ ବିସ୍ଥାପିତ, ସଂସଦରେ ପୁନର୍ବାସ ଓ କଲ୍ୟାଣ ପାଇଁ ଦାବୀ କଲେ ସାଂସଦ ନିରଞ୍ଜନ ବିଶି
ଦିଲ୍ଲୀ : ସଂସଦର ବଜେଟ ଅଧିବେଶନରେ ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶି ଭାରତ ତଥା ଓଡିଶାର ଆଦିବାସୀ, ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା ବିକାଶ, ବିସ୍ଥାପିତଙ୍କ ପୁନର୍ବାସ ଥାଇଥାନ, କ୍ଷତିପୂରଣ ପ୍ରଦାନ ପାଇଁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ସାଂସଦ ଶ୍ରୀ ବିଶି କହିଲେ ଯେ, ଦେଶରେ ଦେଢ଼ କୋଟିରୁ ଅଧିକ ଆଦିବାସୀ ଡ୍ୟାମ ପ୍ରୋଜେକ୍ଟ, ଖଣି ଖାଦାନ, ଶିଳ୍ପ କାରଖାନା, ଜାତୀୟ ଉଦ୍ୟାନ, ବନ୍ୟଜନ୍ତୁ ଅଭୟାରଣ୍ୟ ଭଳିଆ ବିଭିନ୍ନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଛନ୍ତି । ଦେଶର ଝାରଖଣ୍ଡ, ଓଡିଶା, ଛତିଶଗଡ, ଅନ୍ଦ୍ରପ୍ରଦେଶ ରାଜ୍ୟରେ ଆଦିବାସୀ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ସର୍ଦାର ସରୋବର ଡ୍ୟାମ ପ୍ରକଳ୍ପରେ ୮୫ ହଜାର ଆଦିବାସୀ ପରିବାର ବିସ୍ଥାପିତ ହୋଇଥିବା ବେଳେ ପୋଲାଭରମ ନଦୀବନ୍ଧ ଯୋଜନାରେ ୩ଶହ ଗାଁର ଆଦିବାସୀ ବିସ୍ଥାପିତ । ଓଡିଶା ରାଜ୍ୟରେ ଆଦିବାସୀ ଗାଁ ମାନଙ୍କରେ ୧୫୬୩୨ ସରକାରୀ ବିଦ୍ୟାଳୟ ବନ୍ଦ ହୋଇଯାଇଛି । ସେହି ସ୍କୁଲ ପୁଣି ଆରମ୍ଭ କରିବାକୁ ଭାରତ ସରକାର ପାଣ୍ଠି ବିନିଯୋଗ କରନ୍ତୁ ବୋଲି ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ । ସେହିପରି ବେସରକାରୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଏସ୍ଟି ଏସ୍ସି ଛାତ୍ରଛାତ୍ରୀ ନିଃଶୁଳ୍କ ପାଠ ପଢ଼ିବା ସୁଯୋଗ ପାଉଥିଲେ । ୨ବର୍ଷ ହେଲା ଏହି ଯୋଜନା ବନ୍ଦ ରହିଛି ତେଣୁ ପାଣ୍ଠି ମଞ୍ଜୁରୀ କରାଯାଉ । ବିଏସ୍ସି ନର୍ସିଂ ଓ ଜିଏନ୍ଏମ୍ କୋର୍ସ ପଢ଼ୁଥିବା ଏସ୍ଟି ଏସ୍ସି ଛାତ୍ରଛାତ୍ରୀ ମାନଙ୍କୁ ବର୍ଷକୁ ୫୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା ୨ ବର୍ଷ ବନ୍ଦ ହୋଇଯାଇଛି ସେଥିପାଇଁ ଅତିରିକ୍ତ ବଜେଟ ବ୍ୟବସ୍ଥା କରି ପାଣ୍ଠି ଦିଆଯାଉ । ଆଦିବାସୀ ଉପ ଯୋଜନା (ଟିଏସ୍ପି) ଉପଜାତି ଉପ ଯୋଜନାରେ ପାଣ୍ଠି ମଞ୍ଜୁରୀ, ଜାତୀୟ ଏସ୍ଟି ଏସ୍ସି ଆର୍ଥିକ ବିକାଶ ନିଗମ ମାଧ୍ୟମରେ ଆଦିବାସୀ ଦଳିତ ମାନଙ୍କୁ ବ୍ୟକ୍ତିଗତ ଏବଂ ଗୋଷ୍ଠୀ ଋଣ ସବସିଡି ଦିଆଯାଉ, ପିଭିଟିଜି ଆଦିବାସୀ ମାନଙ୍କ ଅର୍ଥନୈତିକ ପ୍ରଗତି ପାଇଁ ବଜେଟ ଏସ୍ଟିମେଟ କରାଯାଉ, ଲଘୁ ବନଜାତ ଦ୍ରବ୍ୟ ମହୁଲ, ଝୁଣା, ହରିଡ଼ା ବାହାଡ଼ା, ଅଁଳା ଆଦି ସଂଗ୍ରହ ବିକ୍ରୟ କରି ଜୀବନ ଜୀବକା ନିର୍ବାହ କରୁଥିବା ଆଦିବାସୀ ମାନଙ୍କ ପାଇଁ ଏମ୍ଏସ୍ପି ଏବଂ ଇନ୍ପୁଟ୍ ସବସିଡ଼ି ଦିଆଯାଉ ବୋଲି ଦାବୀ କରିଥିଲେ । ଆଦିବାସୀ ଦଳିତ ଏବଂ ସମାଜର ପଛ ଧାଡ଼ିରେ ଥିବା ଲୋକଙ୍କ ବିକାଶ ନ ହେଲେ ସେମାନେ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ନାହିଁ । ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ସପ୍ନ ଏବଂ ଲକ୍ଷ ପୂରଣ କରିବାକୁ ହେଲେ ପଛୁଆ ବର୍ଗର ବିକାଶ ଜରୁରୀ ଏ ଦିଗରେ ସରକାର ଯତ୍ନବାନ ହେବା ଉଚିତ ବୋଲି କହିଥିଲେ ।