- ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରିଛି : ଜିଲ୍ଲାପାଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୁଗୋଛା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ ସମ୍ପାଦକ ନବୀନ ଦାସଙ୍କ ଚାକିରିରେ ପରିବାରବାଦ ତଥା ଦୀର୍ଘ ଦିନରୁ ଚାଲି ଆସିଥିବା ଦୁର୍ନୀତି ହାଟରେ ପଡି ଦାଣ୍ଡରେ ଗଡୁଛି । ନିକଟରେ ପ୍ୟାକ୍ସରେ ବେଆଇନ ନିଯୁକ୍ତି ହୋଇଥିବା ଅଞ୍ଚଳର ଚାଷୀ ଓ ବୁଦ୍ଧିଜୀବୀ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ଜିଲ୍ଲାପାଳ ପ୍ୟାକ୍ସକୁ ପହଞ୍ଚି ତଦନ୍ତ କରିଛନ୍ତି । ପାକ୍ସର ସମ୍ପାଦକ ତଥା ସିଇଓ ନବୀନ ଦାସଙ୍କ ପୁଅ ଅମ୍ବରିଶ ଦାସଙ୍କୁ ଉକ୍ତ ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଜ୍ୱାଇଁ ଅନ୍ୟ ଜିଲ୍ଲା ତଥା ବରଗଡ଼ ଜିଲ୍ଲା ବରପାଲି ବ୍ଲକ ରେମେଡର ଅନିଲ କୁମାର ଦାସଙ୍କୁ ସହ ସମ୍ପାଦକ ଭାବେ ଗତ ଫେବୃଆରୀ ମାସରେ ନିଯୁକ୍ତି ଦିଆଯାଇଛି । ଉପନିବନ୍ଧକ ସମବାୟ ସମିତି ସମୂହ ସୁବର୍ଣ୍ଣପୁର ଡିଆର୍ସିଏସ୍ ସଞ୍ଜୟ ତ୍ରିପାଠୀ ଏହି ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସମ୍ପାଦକଙ୍କ ନିକଟ ସମ୍ପର୍କୀୟଙ୍କୁ ସେହି ପାର୍ଶ୍ଵରେ ନିଯୁକ୍ତି ମିଳିପାରିବ ନାହିଁ କିନ୍ତୁ ଏଠାରେ ସରକାରୀ ନିୟମକୁ ଦଳିଚକଟି ଦିଆଯାଇଛି । ବେଆଇନ ଭାବେ ଏହି ନିଯୁକ୍ତି ଦିଆଯାଇଛି । ସୋନପୁର ମଣ୍ଡଳ ଏଆର୍ସିଏସ୍ ଭବାନୀ ଶଙ୍କର ଦାଶଙ୍କ ଅଜାଣତରେ ଏହି ନିଯୁକ୍ତି ଦିଆଯାଇଥିବା ପ୍ରକାଶ କରିଛନ୍ତି । ମରାଡ଼ୁଗୋଛା ପ୍ୟାକ୍ସରେ ବେଆଇନ ନିଯୁକ୍ତି ଦେଇଥିବା ସୁବର୍ଣ୍ଣପୁର ଡିଆର୍ସିଏସ୍ ଡ. ସଞ୍ଜୟ କୁମାର ତ୍ରିପାଠୀ କହିଛନ୍ତି, ପାକ୍ସ ସମ୍ପାଦକ ନବୀନ ଦାସ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସ୍ୱେଚ୍ଛାକୃତ ଅବସର ଆବେଦନ କରିଥିଲେ । ପ୍ୟାକ୍ସ ପରିଚାଳନା ପରିଷଦରେ ଏନେଇ ପ୍ରସ୍ତାବ ଗୃହୀତ ହୋଇଥିଲା । ପରିଷଦର ସୁପାରିସ୍କୁ ମୁଁ କେବଳ ଅନୁମୋଦନ କରିଛି ବୋଲି ଡ. ତ୍ରିପାଠୀ କହିଛନ୍ତି । ସୂଚନାରୁ ଯାହା ଜଣାପଡୁଛି ଗତ ଫେବୃଆରୀ ୧୯ରେ ପାର୍ଶ୍ଵ ସମ୍ପାଦକ, ଜଗୁଆଳି ଓ ପିଅନ ଭିଆର୍ଏସ୍ ନେଇଥିଲା ବେଳେ ସେହିଦିନ ହିଁ ୪ ଜଣ ନିଯୁକ୍ତି ପାଇଛନ୍ତି । ଗୋଟିଏ ଦିନରେ ସରକାରୀ ନିୟମକୁ ଉଲଂଘନ କରି ସବୁ କାମ କରାଯାଇ ପ୍ୟାକ୍ସ ସମ୍ପାଦକ ନବୀନଙ୍କ ପୁଅ ଅମ୍ବରୀଶଙ୍କୁ ଭାରପ୍ରାପ୍ତ ସମ୍ପାଦକ ଓ ଜ୍ୱାଇଁ ତଥା ବରଗଡ ଜିଲା ବରପାଲି ବ୍ଲକ ରେମେଡ ଗାଁର ଅନିଲ କୁମାର ଦାସଙ୍କୁ ସହସମ୍ପାଦକ ଭାବେ ନିଯୁକ୍ତି କରିବାରେ ସଫଳ ହୋଇଥିଲେ । ପ୍ୟାକ୍ସର ଜଗୁଆଳି ଥିବା ମକୁନ୍ଦ ନାଏକଙ୍କ ପୁଅ ଅମିତଙ୍କୁ ଜଗୁଆଳି ଓ ପିଅନ ମନୋଜ ଦାସଙ୍କ ପୁଅ ଆଜାଦ୍ଙ୍କୁ ପିଅନ ଭାବେ ନିଯୁକ୍ତି ଦିଆଯାଇଛି । ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ପଚାରିବାରୁ କହିଛନ୍ତି ଯେ, ସେ ଅଭିଯୋଗ ପାଇବା ପରେ ପ୍ୟାକ୍ସ କାର୍ଯ୍ୟାଳୟକୁ ତଦନ୍ତ ପାଇଁ ଯାଇଥିଲେ । ସେହି ସମୟରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଭିଆରଏସ୍ ନେଇଥିବା ନବୀନ ଦାସ ଓ ଅନ୍ୟମାନେ କାର୍ଯ୍ୟାଳୟରେ ଉପସ୍ଥିତ ରହି ସବୁ କାମ କରୁଥିଲେ । ପୁଅ କି ଜ୍ୱାଇଁ କେହି ନଥିଲେ । ଏହି ଘଟଣାରେ ଡିଆର୍ସିଏସ୍ଙ୍କୁ କୈଫିୟତ ତଲବ କରିବା ସହ ଫାଇଲ ମଗାଇଥିଲି । ନିଯୁକ୍ତି ପ୍ରକ୍ରିୟାରେ ଚଞ୍ଚକତାର ପ୍ରମାଣ ମିଳିବା ପରେ ଡିଆରସିଏସ୍ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ବୋଲି କହିଛନ୍ତି ଜିଲ୍ଲାପାଳ ଡ. ସାହୁ । ତେବେ ସରକାର ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ସୁବର୍ଣ୍ଣପୁର ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି ।