ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଜ୍ୟସଭାରେ ଓଡ଼ିଶାର ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ ) ପ୍ରତିଷ୍ଠା ପାଇଁ ଦୃଢ଼ ଦାବି କରିଛନ୍ତି । ସାଂସଦ ଶ୍ରୀ ବିଶି ଦାବୀ କରି କହିଛନ୍ତି ଯେ, ଓଡ଼ିଶାର ଭୌଗୋଳିକ ଅଞ୍ଚଳ ଓ ଜନସଂଖ୍ୟା ଆଧାର ଅନୁସାରେ ସମସ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଆବଶ୍ୟକ । ବର୍ତ୍ତମାନ ଓଡିଶା ରାଜ୍ୟର ଭୁବନେଶ୍ୱରରେ ଏକ ଏମ୍ସ ହସ୍ପିଟାଲ ରହିଛି, ଯାହା ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ମାନକୁ ଉନ୍ନତ କରିଛି । କିନ୍ତୁ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଆଦିବାସୀ ବହୁଳ ଅଞ୍ଚଳ କୋରାପୁଟ ଓ ଉତ୍ତର ଉପକୂଳ ଅଞ୍ଚଳ ବାଲେଶ୍ୱରରେ ଏପର୍ଯ୍ୟନ୍ତ ଏଭଳିଆ ଉନ୍ନତ ଧରଣର ଚିକିତ୍ସା ସଂସ୍ଥା ନାହିଁ । ସାଂସଦ ନିରଞ୍ଜନ ବିଶି କହିଥିଲେ ଯେ, ଏହି ଏମ୍ସ ହସ୍ପିଟାଲ ଗୁଡ଼ିକ ମାତ୍ର ସାଟେଲାଇଟ ସେଣ୍ଟର ନୁହେଁ, ବରଂ ଏମ୍ସ ଭୁବନେଶ୍ୱର ପରି ସମସ୍ତ ସୁବିଧା, ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ଉପକରଣ ହସ୍ପିଟାଲ ଭାବେ ସ୍ଥାପିତ ହେବା ଉଚିତ । ସାଂସଦ ଶ୍ରୀ ବିଶି କହିଛନ୍ତି ଯେ, ସମ୍ବଲପୁର, କୋରାପୁଟ, ବାଲେଶ୍ୱରରେ ଏମ୍ସ ପ୍ରତିଷ୍ଠା ହେଲେ ଲୋକମାନେ ଉତ୍ତମ ମାନର ଚିକିତ୍ସା ସେବା ପାଇବେ ଓ ଏହି ଅଞ୍ଚଳରେ ଚିକିତ୍ସା, ଶିକ୍ଷା ଓ ଗବେଷଣାକୁ ମଧ୍ୟ ବିକଶିତ କରିପାରିବ । ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ଅଞ୍ଚଳରେ ଏମ୍ସ ସଂସ୍ଥାଗୁଡ଼ିକ ଶୀଘ୍ର ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.