ଖଣ୍ଡପଡ଼ାରେ ବାଟବଣା ହୋଇଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନଃରୁଦ୍ଧାର କାର୍ଯ୍ୟ : ଚାଷୀ ମହଲରେ ଅସନ୍ତୋଷ, ତଦନ୍ତ ଦାବି

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ରାଣୀଛେଲି ପଞ୍ଚାୟତ ଅଧୀନ ଗୋଶିଙ୍ଗନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମରାମତି କାର୍ଯ୍ୟ ବାଟବଣା ହୋଇ ଗତ ୨ ବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ସମୟାନୁକ୍ରମେ ଉକ୍ତ ଡ୍ୟାମଟି ପୋତି ହୋଇ ପଡୁଥିବାରୁ ଡ୍ୟାମର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି । ଯାହାକି ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପ୍ରତିବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ବେଳେ ଚାଷବାସ ଓ ପନିପରିବା ଫସଲ ପ୍ରଭାବିତ ହେଉଛି । ତେବେ ନିକଟରେ ଏତେ ବଡ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଥାଇ ମଧ୍ୟ ଠିକଣା ସମୟରେ ତାହା ଚାଷୀମାନଙ୍କ କାର୍ଯ୍ୟରେ ଆସୁ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ରାଣୀଛେଲି ପଞ୍ଚାୟତ ଅଧୀନ ଗୋହିରିଆ ପଡା, କଳପଙ୍ଗି, ରାଣୀଛେଲି, ମର୍ଦ୍ଦରାଜପ୍ରସାଦ ପ୍ରଭୃତି ଗ୍ରାମର ଶହ ଶହ ଚାଷୀ ପରିବାରଗୁଡ଼ିକ ସଂପୂର୍ଣ୍ଣ ରୂପେ ନିର୍ଭର କରି ଆସୁଛନ୍ତି । ଉକ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନଃରୁଦ୍ଧାର ନେଇ ବାରମ୍ବାର ଦାବି ପରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଡ୍ୟାମରୁ ପଙ୍କଉଦ୍ଧାର ସହ ପାର୍ଶ୍ବସ୍ଥ କେନାଲ ଗୁଡିକର ଆନୁସଙ୍ଗିକ ମରାମତି କାର୍ଯ୍ୟ ଗତ ୨ ବର୍ଷ ତଳେ ଆରମ୍ଭ ହୋଇଥିଲା । ଏଥି ନିମନ୍ତେ ୭୦ ଲକ୍ଷରୁ ଊର୍ଦ୍ଧ୍ଵ ଅନୁଦାନ ଅର୍ଥ ମଞ୍ଜୁର ହୋଇଥିଲା । ମାତ୍ର କାର୍ଯ୍ୟରେ ନିୟୋଜିତ ଠିକାଦାର ଯେନତେନ ଉପାୟରେ ଅଧା କାର୍ଯ୍ୟ କରି ଛାଡି ଚାଲି ଯାଇଥିବା ଜଣାପଡିଛି । ସମ୍ପୃକ୍ତ ଠିକାଦାର ପ୍ରକଳ୍ପ ଅବବାହିକାରୁ ମାଟି ଉଠାଇ ଟ୍ରିପ ଟ୍ରିପ ମାଟି ଏଣେ ତେଣେ ବିକ୍ରି କରିବାକୁ ନେଇ ସେତେବେଳେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଅଭିଯୋଗ ଉଠାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସେଥିପ୍ରତି ପ୍ରଶାସନ ନତୁବା ବିଭାଗୀୟ କର୍ତ୍ତୃପକ୍ଷ କେହି ହେଲେ ସେହି ସମୟରେ ସେତେଟା ଗୁରୁତ୍ୱ ଦେଇ ନଥିବା ଜଣାପଡିଛି । ତେବେ ସେହିଦିନ ଠାରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁଃନରୁଦ୍ଧାର କାର୍ଯ୍ୟର ପୂର୍ଣ୍ଣାଙ୍ଗ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ନଦେଇ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ସରକାର ଅନେକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଥିଲେ ହେଁ ଖଣ୍ଡପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାକଳାପକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚତୁର୍ଦ୍ଦିଗକୁ ସଂଯୋଗ କରୁଥିବା କେନାଲ ଗୁଡିକ ଏବେ ମାଟିରେ ପୋତି ହୋଇ ପଡିଥିବା ନଜରକୁ ଆସୁଛି । ସେହିପରି ବେଳକୁ ବେଳ ଜଳଭଣ୍ଡାର ପୋତି ହୋଇ ପଡୁଥିବା ବେଳେ ଗ୍ରୀଷ୍ମ ଋତୁରେ ଜଳଭଣ୍ଡାରଟି ପୁରା ଶୁଖିଲା ପଡୁଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଗୋସିଙ୍ଗ ନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନଃରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ରାଣୀଛେଲି ପଞ୍ଚାୟତବାସୀ ଦାବି କରିଥିବା ବେଳେ ପ୍ରକଳ୍ପ ନିର୍ମାଣରେ ହୋଇଥିବା ଅନିୟମିତତାର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ, ଜିଲ୍ଲାପ୍ରଶାସନ ଓ ଭିଜିଲାନ୍ସ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.