ଓଡ଼ିଶାରେ ବ୍ୟାଙ୍କ ଶାଖା ଓ ଏଟିଏମ୍ ସଂଖ୍ୟା ବୃଦ୍ଧି ପାଇଁ ସାଂସଦ ନିରଞ୍ଜନ ବିଶିଙ୍କ ଦାବି

ନୂଆଦିଲ୍ଲୀ : ସଂସଦର ଚଳିତ ବଜେଟ ଅଧିବେଶନରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତାରାଙ୍କିତ ପ୍ରଶ୍ନ ମାଧ୍ୟମରେ ଓଡ଼ିଶାରେ ବ୍ୟାଙ୍କିଂ ଭିତ୍ତିଭୂମି ବିସ୍ତାର ପ୍ରସଙ୍ଗ ଉଠାଇଛନ୍ତି । ସାଂସଦ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟକୁ ଶ୍ରୀ ବିଶି ପଚାରିଥିଲେ ଯେ, ବ୍ୟାଙ୍କିଂ ସୁବିଧା କମ୍ ଥିବା ଅଞ୍ଚଳ ବିଶେଷ କରି ଓଡ଼ିଶାର ଆଦିବାସୀ ଓ ଦୁର୍ଗମ ଅଞ୍ଚଳଗୁଡ଼ିକରେ ସରକାର କି ସରକାରୀ ବ୍ୟାଙ୍କଗୁଡ଼ିକୁ ଅଧିକ ବ୍ୟାଙ୍କ ଶାଖା ଓ ଏଟିଏମ୍ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କି ନାହିଁ । ଏହାର ଉତ୍ତରରେ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ସଦନକୁ ଜଣାଇଥିଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ (ଆର୍‌ଆର୍‌ବି ବାଦ) ପୂର୍ବ ଅନୁମତି ବିନା ଦେଶର ଯେକୌଣସି ସ୍ଥାନରେ ନୂଆ ଶାଖା ଖୋଲିବାକୁ ଅନୁମତି ଦେଇଛି, କିନ୍ତୁ ଏହାର ଅନ୍ତତଃ ୨୫ ପ୍ରତିଶତ ଶାଖା ବ୍ୟାଙ୍କିଂ ସେବାରୁ ବଞ୍ଚିତ ଗ୍ରାମୀଣ ଅଞ୍ଚଳରେ ଖୋଲିବା ଆବଶ୍ୟକ । ମନ୍ତ୍ରୀ କହିଥିଲେ ଯେ, ଆର୍‌ବିଆଇ ନିର୍ଦ୍ଦେଶାନୁସାରେ ବ୍ୟାଙ୍କିଂ ସେବା ବିହୀନ ଅଞ୍ଚଳରେ ବ୍ୟାଙ୍କିଂ ଆଉଟଲେଟ୍ ବିସ୍ତାର ଏକ ନିରନ୍ତର ପ୍ରକ୍ରିୟା । ଏହାର ତଦାରଖ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସ୍ତରୀୟ ବ୍ୟାଙ୍କର୍ସ କମିଟି ଦ୍ୱାରା ସମ୍ପୃକ୍ତ ରାଜ୍ୟ ସରକାର, ବ୍ୟାଙ୍କ ଓ ଅନ୍ୟ ହିତଧାରୀଙ୍କ ସହ ମିଳିତ ଭାବେ କରାଯାଉଛି । ବ୍ୟାଙ୍କଗୁଡ଼ିକ ଆର୍‌ବିଆଇ ନିର୍ଦ୍ଦେଶ, ବ୍ୟବସାୟିକ ଯୋଜନା, ବ୍ୟବହାରିକ ସମ୍ଭାବନା ଓ ଆବଶ୍ୟକ ହେଲେ କ୍ଷେତ୍ର ସର୍ବେକ୍ଷଣ ଆଧାରରେ ନୂଆ ବ୍ୟାଙ୍କ ଶାଖା, ବିଜନେସ୍ କରେସ୍ପଣ୍ଡେଣ୍ଟ କେନ୍ଦ୍ର ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଆଉଟଲେଟ୍ ଖୋଲିବା ଉପରେ ବିଚାର କରନ୍ତି । ଅର୍ଥ ରାଜ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଘରୋଇ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ (ଆର୍‌ଆର୍‌ବି ବାଦ) ଆର୍‌ବିଆଇର ପୂର୍ବ ଅନୁମତି ବିନା ନିଜେ ଚୟନ କରିଥିବା ସ୍ଥାନରେ ଅନସାଇଟ୍ ଓ ଅଫସାଇଟ୍ ଏଟିଏମ୍ ସ୍ଥାପନ କରିପାରିବେ । ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କିଂ ସେବା ବଢ଼ାଇବା ପାଇଁ ସରକାରଙ୍କ ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ଆବାଦ ଗାଁର ୫ କିଲୋମିଟର ମଧ୍ୟରେ ଅତି କମରେ ଗୋଟିଏ ବ୍ୟାଙ୍କିଂ ଆଉଟଲେଟ୍ ଉପଲବ୍ଧ କରାଇବା । ଏହି କାର୍ଯ୍ୟର ନିରୀକ୍ଷଣ ପାଇଁ ଜନଧନ ଦର୍ଶକ ଆପ୍ ନାମକ ଜିଆଇଏସ୍‌-ଆଧାରିତ ଆପ୍ ବ୍ୟବହୃତ ହେଉଛି । ଏହି ଆପ୍ ଅନୁସାରେ ଓଡ଼ିଶାର ୯୯.୯୮ ପ୍ରତିଶତ ଆବାଦ ଗ୍ରାମରେ ବର୍ତ୍ତମାନ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ଅଛି ।

Leave A Reply

Your email address will not be published.