ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଘେଁସର ଜମିଦାର ସହିଦ ମାଧୋ ସିଂହ ଓ ତାଙ୍କ ସହିଦ ପରିବାରଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ ଉପରେ ଗବେଷଣା ଲାଗି ଲୋକସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦାବି କରିଛନ୍ତି । ଇଂରେଜ ସରକାରକୁ ବାର୍ଷିକ ମାତ୍ର ୩୫୬ ଟଙ୍କା ରାଜସ୍ୱ ଦେଇ ଜମିଦାରୀ ବଞ୍ଚାଇ ସହିଦ ମାଧୋ ସିଂହ ଏହାର ବିରୋଧ କରିଥିଲେ । ୭୧ ବର୍ଷ ବୟସରେ ସେ ଇଂରେଜ ସରକାର ବିରୋଧରେ ସଶସ୍ତ୍ର ବିଦ୍ରୋହରେ ସାମିଲ ହୋଇଥିଲେ । ତାଙ୍କ ସହ ତାଙ୍କର ଚାରିପୁଅ ସାତେ, କୁଞ୍ଜଲ, ବୈରୀ ଓ ଐରୀ ମଧ୍ୟ ଲଢ଼େଇରେ ସାମିଲ ହୋଇଥିଲେ । ୧୯ ଜାନୁଆରୀ ୧୮୫୮ ପର୍ଯ୍ୟନ୍ତ ମାଧୋ ସିଂହ ସିଙ୍ଗୋଡଘାଟି ସମେତ ଅନେକ ସ୍ଥାନରେ ଇଂରେଜ୍ ମୁକାବିଲା କରିଥିଲେ । ୩୧ ଡିସେମ୍ବର ୨୮୫୮ରେ ଗୋରା ସରକାର ସମ୍ବଲପୁରରେ ତାଙ୍କୁ ଫାଶୀ ଦେଇଥିଲା । ଏହାପରେ ତାଙ୍କ ଚାରି ବୀରପୁତ୍ର ୧୮୬୪ ପର୍ଯ୍ୟନ୍ତ ଇଂରେଜ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । ହାତେଙ୍କୁ କଳାପାଣି ସଜା ଦିଆଯାଇଥିବା ବେଳେ କୁଞ୍ଜଲଙ୍କୁ ଇଂରେଜ ସରକାର ଫାଶୀ ଦେଇଥିଲା । ସେହିପରି ବୈରୀଙ୍କୁ ଆଜୀବନ କାରାଦଣ୍ଡ ଓ ଐରୀଙ୍କୁ ଅମାନୁଷିକ ହତ୍ୟା କରାଯାଇଥିଲା । ଏହି ବୀର ପିତାପୁତ୍ରଙ୍କ ଦୁର୍ଲଭ ବଳିଦାନକୁ ସମ୍ମାନ ଜଣାଇ ଘେଁସ ବିଦ୍ରୋହ ଉପରେ ପ୍ରାମାଣିକ ଗବେଷଣା ସହ ରାଷ୍ଟ୍ରୀୟ ସ୍ମାରକୀ ପ୍ରତିଷ୍ଠା କରାଯିବାକୁ ସାଂସଦ ଶ୍ରୀ ପୁରୋହିତ ଦାବି କରିଛନ୍ତି । ସେହିପରି ତାଙ୍କ ନାମରେ ଜାତୀୟ ଯୋଜନାର ନାମକରଣ ଓ ରାଷ୍ଟ୍ରୀୟ ସଂସ୍ଥାନର ନାମକରଣ କରାଯିବାକୁ ଶ୍ରୀ ପୁରୋହିତ ଲୋକସଭାରେ ଦାବି କରିଛନ୍ତି ।