
ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡ଼ିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ନେତୃତ୍ୱରେ ଐତିହାସିକ ୩୦ ଜୁନ୍ ସାନ୍ତାଳ୍ ହୁଲ୍ ଦିବସରେ ସମାଜ ସୁଧାର ସେଙ୍ଗେଲ କ୍ରାନ୍ତି କାର୍ଯ୍ୟକ୍ରମ କରାଯାଇ ସମାଜ ସୁଧାର କରାଯିବା ପାଇଁ ୫ (ପାଞ୍ଚ) ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ରରେ ଦର୍ଶାଯାଇଛି ଯେ, ଭାରତ ଦେଶ ସ୍ୱାଧୀନ ହୋଇ ୭୮ ବର୍ଷ ହେବ, କିନ୍ତୁ ଆଦିବାସୀ ସମାଜ ବର୍ତ୍ତମାନ ବିନାଶ ହେବା ପଥରେ ଗତି କରିଛି । କାରଣ, ଏବେବି ଆଦିବାସୀ ଗ୍ରାମ ସମାଜରେ ହାଣ୍ଡିଆ ପରି ନିଶାଦ୍ରବ୍ୟକୁ ସାମାଜିକ, ଧାର୍ମିକ ଏବଂ ପରମ୍ପରା ନାମରେ ସେବନ କରିବା, ଗୁଣିଗାରେଡି, ଅନ୍ଧବିଶ୍ୱାସ, ଡାହାଣୀ ନାମରେ ହତ୍ୟା-ପ୍ରତାରଣା କରିବା, ରାଜତାନ୍ତ୍ରିକ ମାଝୀ-ପାର୍ଗାନା ସ୍ୱଶାସନ ବ୍ୟବସ୍ଥା ନାମରେ ସ୍ୱଶୋଷଣ, ମନଇଚ୍ଛା ଜରିମାନା, ସାମାଜିକ ବାସନ୍ଦ, ରାଜନୈତିକରେ ଭୋଟ କ୍ରୟ-ବିକ୍ରୟ କରିବା, ସମାନତା ଯାଗାରେ ମହିଳା ବିରୋଧୀ ମାନସିକତା ଆଦି ନିରନ୍ତର ଭାବରେ କାର୍ଯ୍ୟ କରି ଚାଲିଛି । ତେଣୁ ଉକ୍ତ ସମ୍ବିଧାନ ବିରୋଧୀ ପରମ୍ପରାକୁ ସମାପ୍ତ କରି ସମାଜ ସୁଧାର କରିବା ଅତ୍ୟନ୍ତ ଜରୁରୀ ହୋଇଅଛି ଏବଂ ସମାଜ ସୁଧାର ପାଇଁ ଅବିଳମ୍ବେ ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ, ଆଇନ, ଜନତନ୍ତ୍ର ଲାଗୁ କରାଯିବା ଆବଶ୍ୟକ ବୋଲି ଦାବି କରାଯାଇଛି । ଦାବି ଗୁଡ଼ିକ ମଧ୍ୟରୁ :- (୧) ଆଦିବାସୀ ସମାଜକୁ ଆଗେଇ ନେବା ପାଇଁ ଏବଂ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଜତାନ୍ତ୍ରିକ ମାଝୀ-ପାର୍ଗାନା ସ୍ୱଶାସନ ବ୍ୟବସ୍ଥାରେ ଜନତନ୍ତ୍ର ଲାଗୁ କରାଯାଉ । ଅର୍ଥାତ୍ ଗ୍ରାମର ସମସ୍ତ ସ୍ତ୍ରୀ-ପୁରୁଷଙ୍କ ଦ୍ୱାରା ଏକ ଶିକ୍ଷିତ ଯୁବକ-ଯୁବତୀ, ମହିଳା-ପୁରୁଷଙ୍କୁ ମାଝୀବାବା ରୁପରେ ଚୟନ କରି ନିଯୁକ୍ତି କରାଯାଉ । (୨) ସୁସ୍ଥ ସମାଜ ଗଠନ କରିବା ଦିଗରେ ସାମାଜିକ, ଧାର୍ମିକ ଏବଂ ପରମ୍ପରା ନାମରେ ହାଣ୍ଡିଆ, ମଦ ଭଳି ନିଶାଦ୍ରବ୍ୟର ବ୍ୟବହାରକୁ ବନ୍ଦ ନିଶାମୁକ୍ତ ସମାଜ ଗଠନ କରାଯାଉ । (୩) ସମାଜରେ ରାଜନୈତିକ ବ୍ୟବସ୍ଥା ସୁଧାର କରାଯାଇ ଭୋଟ କ୍ରୟ-ବିକ୍ରୟକୁ ବନ୍ଦ କରି ସୁସ୍ଥ ଜନତନ୍ତ୍ର ବ୍ୟବସ୍ଥା ସ୍ଥାପିତ କରାଯାଉ । (୪) ସମାଜର ଶିକ୍ଷିତ ଯୁବକ, ଯୁବତୀ, ଚାକିରିଜୀବି ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସମାଜ ସୁଧାର କାର୍ଯ୍ୟ କରିବା ପାଇଁ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନରେ ତାଲିମ ପ୍ରଦାନ କରାଯାଉ, ଯେପରିକି ସମାଜ ବଞ୍ଚାଇବା କାର୍ଯ୍ୟରେ ସହଯୋଗ ପ୍ରଦାନ କରିବେ ।ୟ (୫) ଆଦିବାସୀ ମହିଳା ସଶକ୍ତିକରଣ ଏବଂ ସ୍ତ୍ରୀ-ପୁରୁଷ ଭିତରେ ସମାନତା ପାଇଁ ଆଦିବାସୀ ଗ୍ରାମ ସମାଜରେ ସୁଧାର କରାଯାଉ । ଦାବିପତ୍ର ପ୍ରଦାନ ବେଳେ ପନତ ପାର୍ଗାନା କାଳୁରାମ ମୁର୍ମୁ, ପ୍ରଦେଶ ଯୁବା ସେଙ୍ଗେଲ ସଭାପତି କଲ୍ୟାଣ ବାସ୍କେ, ବିକାଶ ଚନ୍ଦ୍ର ହେମ୍ବ୍ରମ, ମାଧବ ଚନ୍ଦ୍ର ମୁର୍ମୁ, ଉଦୟନାଥ ହେମ୍ବ୍ରମ, ଚନ୍ଦନ କୁମାର ସୋରେନ, ପାନମଣି ହେମ୍ବ୍ରମ, ମେଘ୍ରାୟ ସୋରେନ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।