jayashree

ଗଞ୍ଜାମ ଜିଲ୍ଲାର ସମସ୍ତ ବର୍ଗର ଚାଷୀଙ୍କୁ ଧାନ ଫସଲର କ୍ଷତିପୂରଣ ଦେବା ପାଇଁ ଦାବୀ କଲା – ଆପ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆମ୍ ଆଦ୍‌ମୀ ପାର୍ଟି ତରଫରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବର୍ଗର ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଆପ୍ ପକ୍ଷରୁ ଦାବୀ କରାଯାଇଛି । ଏସଂପର୍କରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଆସି ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯେହେତୁ ଡ଼ିସେମ୍ବର ମାସରେ ଧାନ ଅମଳ ସମୟ ଅବା ଧାନ କଟା ସମୟ ବେଳକୁ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଆସି ଚାଷୀଙ୍କୁ କ୍ଷତି କରିଛି । ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳରେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଧାନ ଚାଷ ମୁଖ୍ୟତଃ ମୂଳ ଚାଷ ହୋଇଥିବା ବେଳେ ଚାଷୀ ଅମଳ ପାଇଁ ଜମିରେ ଧାନ କାଟି କଳାଇ ପକାଇଥିବା ସମୟରେ ଲଗାତାର ବର୍ଷାରେ ଭିଜିବା ଫଳରେ ଧାନ ଗଜା ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଯାହା ଦ୍ୱାରା ଚାଷୀ ବର୍ତ୍ତମାନ ହତାଶରେ ଚିନ୍ତାଗ୍ରସ୍ଥ ହୋଇ ଜୀବନ ହାରିବା ଖବର ଅନ୍ୟ ଜିଲ୍ଲାରେ ନଜରକୁ ଆସିଛି । ଓଡ଼ିଶାରେ ସରକାର ବଦଳିଲେ ମଧ୍ୟ ଚାଷୀଙ୍କ ହିତ ଦୃଷ୍ଟିରୁ ସବୁ ଚାଷୀଙ୍କ ଫସଲ ବୀମା ଏବଂ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତାର କୌଣସି ରୂପରେଖ ନୂଆ ସରକାର ଗଠନର ୬ ମାସ ବିତିଯାଇଥିଲେ ମଧ୍ୟ ଠିକ ଭାବେ ହୋଇନାହିଁ । ଧାନ ମଣ୍ଡିରେ ସରକାର ଚାଷୀର ଧାନକୁ ୩୧୦୦ ଟଙ୍କାରେ କିଣିବାର ନିର୍ବାଚନ ପ୍ରତିଶୃତି ଦେଇଥିଲେ ମଧ୍ୟ ଚାଷୀର ଅମଳ ଖଳାରୁ ଧାନ କିଣା ଯାଉନାହିଁ । ମଣ୍ଡିକୁ ଧାନ ଚାଷୀ ନିଜ ଖର୍ଚ୍ଚରେ ନେଲେ, ମଣ୍ଡିରେ ବହୁ ଦିନ ପର୍ଯ୍ୟନ୍ତ ଧାନ ଓଜନ ନକରି ପଡ଼ି ରହୁଛି । ମଣ୍ଡିରେ ନିମ୍ନ ମାନର ଧାନ କହି “କଟନି ଛଟନି ” କରିବା ଯୋଗୁଁ ଚାଷୀ ଉପାୟହୀନ ହୋଇ କମ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି ଆପ୍ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ ଏକ ପ୍ରେସ ବିବୃତିରେ କହିଛନ୍ତି । ତେଣୁ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଫସଲର କ୍ଷୟକ୍ଷତିକୁ ସଠିକ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ କରାଯାଇଛି । ଓଡ଼ିଶା ଭଳି ଗୋଟେ ପଛୁଆ ଜନମଙ୍ଗଳ ରାଷ୍ଟ୍ରରେ ଚାଷୀର ଭୂମିକାକୁ ହୃଦୟଙ୍ଗମ କରି ତୁରନ୍ତ ସରକାର ପଦକ୍ଷେପ ନେବାକୁ ନିବେଦନ କରିବା ସହ ଭବିଷ୍ୟତରେ ଜିଲ୍ଲାରେ ଚାଷୀଙ୍କ ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ସୁବାଷ ଚନ୍ଦ୍ର ରାଉତ ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଛତ୍ରପୁର ବିଧାନସଭା ଇନଚାର୍ଜ ଅଜାମ୍ବିଳ ବିଶ୍ୱାଳ, ଲିଗାଲ ସେଲ ସଭାପତି କୈଳାଶ ସେଠୀ, ରିତୁ ସେଠୀ, ସୁଦର୍ଶନ ମଲିକ, ଆଡ଼ଭୋକେଟ ବିଷ୍ଣୁ ରଣା, ରମେଶ ବେହେରା, ପଦ୍ମନାଭ ମହାରଣା, ସୁନୀଲ ଆଚାର୍ଯ୍ୟ, ସତ୍ୟପ୍ରକାଶ ସେଠୀ, ଡଃ.ସନ୍ତୋଷ, ମିନତି ସ୍ୱାଇଁ, ହାକିମ ଖାନ ପ୍ରମୁଖ ଦଳୀୟ ସକ୍ରିୟ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.