
ଭୁବନେଶ୍ୱର, (କେପିଏନ୍ଏସ୍) : ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ) ରାଜ୍ୟରେ କାର୍ଯ୍ୟରତ ଆଉଟ୍ସୋର୍ସିଂ କର୍ମଚାରୀମାନଙ୍କୁ ଠିକାଦାରଙ୍କ କବଳରୁ ମୁକ୍ତ କରାଯାଇ ସିଧାସଳଖ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା କର୍ମନିଯୁକ୍ତି ଓ ଦରମା ପ୍ରଦାନ କରାଯାଉ ବୋଲି ଏସ୍ବିଆଇ ଆଉଟ୍ସୋର୍ସିଂ କର୍ମଚାରୀ ରାଜ୍ୟସ୍ତରୀୟ ସମାବେଶରେ ଦାବି କରିଛନ୍ତି । ରାଜ୍ୟ ସଭାପତି ଗୁନାରୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ ଅନୁଷ୍ଠିତ ସମାବେଶରେ ହିନ୍ଦ୍ ମଜଦୁର ସଭା (ଏଚ୍ଏମ୍ଏସ୍)ର ରାଜ୍ୟ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟେଟ୍ ବ୍ୟାଙ୍କ ଭଳି ଏକ ନିର୍ଭରଯୋଗ୍ୟ ବ୍ୟାଙ୍କରେ କାର୍ଯ୍ୟରତ ଆଉଟ୍ସୋର୍ସିଂ କର୍ମଚାରୀମାନେ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ହୋଇ ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ସ୍ୱଳ୍ପ ଦରମା ପାଇବା ଘଟଣା ଅତ୍ୟନ୍ତ ଉଦ୍ବେଗ ଜନକ ବୋଲି ପ୍ରକାଶ କରିଥିଲେ । ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ ସିଧାସଳଖ ଦରମା ପ୍ରଦାନ କଲେ କର୍ମଚାରୀମାନେ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି । ରାଜ୍ୟରେ ପ୍ରାୟ ଅଢେ଼ଇ ହଜାର କର୍ମଚାରୀ ଏସ୍ବିଆଇ ଅଧିନରେ କାର୍ଯ୍ୟରତ ଅଛନ୍ତି । ଉଲ୍ଲେଖ କରାଯାଇପାରେ, ବ୍ୟାଙ୍କର ନିୟମିତ କର୍ମଚାରୀମାନେ ଯେତିକି ସମୟ କାର୍ଯ୍ୟ କରୁଛନ୍ତି ତା’ ଠାରୁ ଅଧିକ ସମୟ ଆଉଟ୍ସୋର୍ସିଂ କର୍ମଚାରୀମାନେ ସ୍ୱଳ୍ପ ଦରମାରେ ଖଟୁଛନ୍ତି । ତେଣୁ ବ୍ୟାଙ୍କ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସରକାର ଦୃଷ୍ଟି ଦେବାକୁ ସମାବେଶରେ ଦାବି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ କର୍ମଚାରୀ ସମାବେଶରେ ଉପସ୍ଥିତ ରହି ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇ ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ରଥ ପ୍ରତିଶ୍ରୁତି ଦେଇଥିଲେ ।