jayashree

କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣାରେ ମୋ’ ସ୍ୱାମୀଙ୍କ ଡାହାଣ ପଟ ହାତ ଓ ଗୋଡ଼ ଭାଂଗିଯାଇଛି । ଏବେ ସେ ଗୁରୁତର ଅବସ୍ଥାରେ ଅଛନ୍ତି । ଯିଏ ମୋ’ ସ୍ୱାମୀର ଅବସ୍ଥା ଏମିତି କରିଛି, ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜଣେ ମହିଳା ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସଂପୃକ୍ତ ମହିଳା ଜଣକ ହେଉଛନ୍ତି ସଇଁତଲା ଥାନା ଅନ୍ତର୍ଗତ ଧରପଗଡ଼ ନୂଆଁବସ୍ତିର ବାସିନ୍ଦା । ତାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଗତ ଅଗଷ୍ଟ ମାସ ୬ ତାରିଖ ଦିନ ମୋବାଇଲ୍‌ ଫୋନ୍‌ ମରାମତି କରିବାକୁ ବାଇକ୍‌ ଯୋଗେ ବଲାଙ୍ଗିର ସହରକୁ ଆସିଥିଲେ । ସେ କାମ ସାରି ଗାଁକୁ ଫେରିବା ସମୟରେ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତା ବିଜାଖମନ କ୍ରସିଙ୍ଗ ପାଖରେ ସାମ୍ନା ପଟୁ ଓଡ଼ି୦୩ୱାଇ ୯୭୩୭ ଏମ୍‌ଟି-୧୫୦ ଗାଡ଼ି ସାମ୍ନାପଟରୁ ଦ୍ରୁତ ବେଗରେ ଆସି ତାଙ୍କ ସ୍ୱାମୀଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଏଥିରେ ତାଙ୍କ ସ୍ୱାମୀଙ୍କ ଡାହାଣ ପଟ ହାତ ଓ ଗୋଡ଼ ଭାଂଗି ଯାଇଥିଲା । ଆଖପାଖର ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାମୀ ଏବେ ଗୁରୁତର ଅବସ୍ଥାରେ ଅଛନ୍ତି । ତେବେ ତାଙ୍କ ସ୍ୱାମୀଙ୍କ ଗାଡ଼ିକୁ ଧକ୍କା ଦେଇଥିବା ଗାଡ଼ି ଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଲିଖିତ ଭାବେ ବଲାଙ୍ଗିର ଟାଉନ୍‌ ଥାନାରେ ଜଣାଇଛନ୍ତି ।

Leave A Reply

Your email address will not be published.