ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂଣ୍ୟତ୍ତୋୟା ଋଷିକୂଲ୍ୟାନଦୀ ଗର୍ଭର ଚତୁଃସୀମାରେ ଘେରି ରହିଛି ବଣ, ପାହାଡ଼, ପର୍ବତ, ନଦୀ, ଉପ-ନଦୀ, ଝରଣା, ସବୁଜିମା ପରିବେଶ, ଗଛ, ଗୁଳ୍ମର ପରିବେଷ୍ଟନି ମଧ୍ୟରେ ସୁଶୋଭିତ କୃଷି-ଉଦ୍ୟାନ କ୍ଷେତ୍ରରେ ଏକ ଅପୂର୍ବ ସମାହାର ଓ ସୃଷ୍ଟିର ଅନବୈଦ୍ୟ ଗଞ୍ଜାମ ଜିଲ୍ଲାର ଦ୍ୱିତୀୟତମ ଶକ୍ତିପୀଠ ଭାବେ ପରିଚିତ ମା’ରାମଚଣ୍ଡୀ ମନ୍ଦିର ସୁବିଖ୍ୟାତ । ଏହି ମନ୍ଦିର ଓ ଦେବୀଙ୍କ ପ୍ରତିମା ନବକଳେବର ତଥା ନବୀକରଣ ଅବା ପୁନଃ-ପ୍ରତିଷ୍ଠା ଉତ୍ସବ ଗତବର୍ଷ ମାଘ ମାସରେ ନବଦିନାତ୍ମକ ଯଜ୍ଞାନୁଷ୍ଠାନ କରଣରେ ସମାହିତ ଏହି ଶକ୍ତିମୟୀ ମା’ ରାମଚଣ୍ଡୀମନ୍ଦିର ଏବେ ସର୍ବଜନବିଦିତ ଅଟେ । ତ୍ରେତ୍ତୟା ଯୁଗରେ ଆବିର୍ଭୂତ ଏହି ଦେବୀ ଶକ୍ତିସ୍ୱରୂପିଣୀଙ୍କ ଆରାଧାନା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ପୂଜାର୍ଚ୍ଚନା କରି ଆସିଥିବା ଏହି ଶକ୍ତିପୀଠର ମାନ୍ୟତା ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇନଥିବା ଏକ ଉଦ୍ବେଗଜନକ ବିଷୟ ହୋଇଛି । ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ଶକ୍ତିପୀଠ ପରିସରରେ ମଙ୍ଗଳବାର ଯୁବଗୋଷ୍ଠୀ ସଫେଇ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଯେହେତୁ ଆଗାମୀ ଦିନ ନବରାତ୍ର ପୂଜା ସର୍ବତ୍ର ସମାହିତ ହେଉଥିବା ବେଳେ ଚଳିତ ବର୍ଷଠାରୁ ମା’ରାମଚଣ୍ଡୀଙ୍କ ଷୋହଳପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ସ୍ୱେଛାସେବୀ ଗୋଷ୍ଠୀଙ୍କ ସହ ମନ୍ଦିର କମିଟି ଆଲୋଚନା କ୍ରମେ ପ୍ରଭୂତ ଭିତ୍ତିଭୂମିର ଅଧିକାର ଉପଲବ୍ଧ ଥିବା ମା’ରାମଚଣ୍ଡୀଙ୍କ ମନ୍ଦିରକୁ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ମାନ୍ୟତା ଦେବା ନିମନ୍ତେ ରାଜ୍ୟ ସରକାରଙ୍କଠାରେ ଦୃଷ୍ଟି ଆକର୍ଷଣ କରାଯାଇଛି । ତେଣୁ ଏହାର ଖୁବଶୀଘ୍ର ଘୋଷଣା କରାଯିବ ନିମନ୍ତେ ଦାବୀ ହୋଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଏନେଇ ୫-ଟି ସଚିବ ଭି.କେ.ପାଣ୍ଡିୟାନଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦିଆଯାଇଛି । ଶ୍ରୀ ପାଣ୍ଡିୟାନ ଏହାକୁ ଆଗ୍ରହୀ ସ୍ୱୀକାର କରି ଏହି ପୀଠର ସୌନ୍ଦର୍ଯ୍ୟକରଣ ଓ ସର୍ବବିଧ ଉନ୍ନତି ନିମନ୍ତେ ଅନୁଦାନ ମଧ୍ୟ ଦେବା ପାଇଁ ଘୋଷଣା କରିଛନ୍ତି । କିନ୍ତୁ ତାହାର ମଞ୍ଜୁର କରିବା ଏବଂ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ଥାନୀତ କରିବାକୁ ମନ୍ଦିର କମିଟି ପକ୍ଷରୁ ଦୃଢ଼ ଦାବୀ ହୋଇଛି । ଛତ୍ରପୁର ଏସ୍ଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ଡାକରା କ୍ରମେ ଛତ୍ରପୁରର ବହୁ ସ୍ବେଚ୍ଛାସେବୀ, ମନ୍ଦିର କର୍ମଚାରୀ, ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ ଓ ଉପଦେଷ୍ଟା ରବୀନ୍ଦ୍ର ପଣ୍ଡା, ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ସଭାପତି ବିନୋଦ ଚନ୍ଦ୍ର ପାଢ଼ୀ, ସଂଯୋଜକ କମଲ ପଣ୍ଡା ପ୍ରମୁଖ ମନ୍ଦିରର ଉନ୍ନୟନ ଦିଗରେ ଆଲୋଚନା କରିଥିଲେ । ଆଜିର ଏହି ସଫେଇ ସେବାରେ ଯୋଗଦେଇ ସ୍ବେଚ୍ଛାକୃତ କାର୍ଯ୍ୟ କରିଥିବା ଅନ୍ୟମାନଙ୍କ ମଧ୍ୟରେ ଟୁଟୁ ନାୟକ, ଲକ୍ଷ୍ମୀଧର ପ୍ରଧାନ, ମନୋରଞ୍ଜନ ବେହେରା, ଯୁବ ଆଇନଜୀବୀ ଲସିତ ବେହେରା, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ରାଜେଶ ମହାରଣା, ଟିକିନା ଗୌଡ଼, ପୂଜକ ସନ୍ତୋଷ ପଣ୍ଡା, ଏନ୍. ଗିରିଧର ରାଓ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ମନ୍ଦିର ଟ୍ରଷ୍ଟ କାର୍ଯ୍ୟକାରୀ ସଦସ୍ୟ ବିମଳ ପଣ୍ଡା ସ୍ୱେଚ୍ଛାସେବୀ ବନ୍ଧୁ ଓ ଉତ୍ସାହୀ ଗଣ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।