- ସମଲେଶ୍ୱରୀ ମନ୍ଦିର ଓ ଭିତ୍ତି ଭୂମୀର ବିକାଶ ହେଲେ ଯୁବକ ପାଇବେ ରୋଜଗାର : ନରସିଂହ
ବଲାଙ୍ଗିର (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ସମଲେଶ୍ୱରୀ ମନ୍ଦିରର ପୁନଃ ନିର୍ମାଣକୁ ନେଇ ପୂର୍ବରୁ କରିଥିବା ଦାବୀକୁ ଦୋହରାଇଛନ୍ତି । ଏକ ପ୍ରେସ ବିବୃତ୍ତି ମାଧ୍ୟରେ ପୁରୁଣା ସମଲେଶ୍ୱରୀ ମନ୍ଦିର ମରାମତି, ଗୋପଲଜୀ ମନ୍ଦିରର ମରାମତି ଓ ସହରର ମଧ୍ୟ ସ୍ଥଳରେ ଏକ ନୂତନ ଭବ୍ୟ ସମଲେଶ୍ୱରୀ ମନ୍ଦିର ସହ ତାହର ଚାରିପାଖରେ ଦୋକାନ ଗୃହ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ୫୦୦ କୋଟିର ଅନୁଦାନ ରାଶି ଦାବୀ କରିଛନ୍ତି । ନିଜ ପ୍ରେସ ବିବୃତ୍ତିରେ ସେ କହିଛନ୍ତି ଯେ, ଓଡିଶା ସରକାର ରାଜ୍ୟରେ ଥିବା ବିଭିନ୍ନ ଧର୍ମପୀଠ, ମଠ ମନ୍ଦିର ଗୁଡିକର ଉନ୍ନତିକରଣ, ସୌନ୍ଦର୍ୟ୍ୟିକରଣ ଓ ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଅଂଚଳର ମଠ ମନ୍ଦିରର ବିକାଶ ପାଇଁ ଏପରି କୌଣସି ଅନୁଦାନ ଆସି ନାହିଁ । ତେଣୁ ବଲାଙ୍ଗିରବାସୀ ଏ ଦିଗରେ ନିଜକୁ ଅବହେଳିତ ମନେ କରୁଛନ୍ତି ।
ଅନ୍ୟପଟେ ବିପଦ ଜନକ ସ୍ଥିତିରେ ଥିବା ମା’ ସମଲେଶ୍ୱରୀ ମନ୍ଦିର ଓ ଗୋପାଳଜୀ ମନ୍ଦିରର ମରାମତି ଅତି ଜରୁରୀ ହୋଇପଡିଛି । ତା’ଛଡା ସହର ମଧ୍ୟରେ ଥିବା ଦେବୋତ୍ତର ଜମିରେ ଏକ ନୂତନ ଭବ୍ୟ ସମଲେଶ୍ୱରୀ ମନ୍ଦିରର ନିର୍ମାଣ ନେଇ ବଲାଙ୍ଗିରବାସୀଙ୍କ ଚାହିଦା ରହିଛି । ଏଥିପାଇଁ ବଲାଙ୍ଗିର ସହରର ବକ୍ଷ ଦେଶରେ ଦେବୋତ୍ତର ବିଭାଗର ପର୍ଯ୍ୟାପ୍ତ ପରିମାଣର ଜମି ମହଜୁଦ ରହିଛି । ଏଣୁ ଓଡିଶା ସରକାର ବଲାଙ୍ଗିରର ପୁରୁଣା ମନ୍ଦିରମାନଙ୍କ ମରାମତି, ନୂତନ ଭବ୍ୟ ମନ୍ଦିର ଓ ଦେବୋତ୍ତର ଭିତ୍ତିଭୂମୀର ବିକାଶ ପାଇଁ ବଲାଙ୍ଗିରକୁ ୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରେସ ବିବୃତ୍ତି ମାଧ୍ୟମରେ ଦାବୀ କରିଛନ୍ତି । ସେ ନିଜ ଦାବୀରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ୧୯୯୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ମୁଁ ଆଇନ ମନ୍ତ୍ରୀ ଥିବା ବେଳେ ଏହି ଦେବୋତ୍ତର ଜମିରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏକ ମାର୍କେଟ କମ୍ପେ୍ଲକ୍ସର ଶିଳନ୍ୟାସ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥାନୀୟ ତତ୍କାଳୀନ ମନ୍ତ୍ରୀଙ୍କ ବିରୋଧ ଯୋଗୁଁ ସେ ନିର୍ମାଣ କାମ ଆଗକୁ ବଢି ପାରିଲା ନାହିଁ । ସେତେବେଳେ ଜାହା କିଛି ନିର୍ମାଣ ହୋଇଥିଲା ତାହା ଆଜି ଅର୍ଦ୍ଧନିର୍ମିତ, ପରିତ୍ୟକ୍ତ ଓ ଭଗ୍ନାବସ୍ଥାରେ ଅଛି । ପୁରୁଣା ସମଲେଶ୍ୱରୀ ମନ୍ଦିରର ମରାମତି ସହିତ, ଯଦି ଏହି ଦେବୋତ୍ତର ଜମିରେ ଏକ ନୂତନ ଭବ୍ୟ ସମଲେଶ୍ୱରୀ ମନ୍ଦିରର ନିର୍ମାଣ ସାଙ୍ଗକୁ ତାର ବିଭିନ୍ନ ପାଖରେ ବଜାର ଗୃହ ନିର୍ମାଣ କରାଯାଏ । ତେବେ ବଲାଙ୍ଗିରର ଅନେକ ବେକାର ଯୁବକ ରୋଜଗାର ପାଇ ତାଙ୍କର ପରିବାର ପ୍ରତିପୋଷଣ କରି ପାରିବେ ଏବଂ ଏହା ମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ମଧ୍ୟ ଏକ ଆୟର ପନ୍ଥା ହୋଇ ପାରିବ । ଏହି ସମସ୍ତ ଭିତ୍ତିଭୂମୀ ନିମନ୍ତେ ସରକାର ବଲାଙ୍ଗିର ପାଇଁ ୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଛନ୍ତି ।