ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ଛେଣ୍ଡରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ପାଇଁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁନଗର ୱେଲଫେୟାର ଆସୋସିଏସନ ଛେଣ୍ଡର ଏକ ପ୍ରତିନିଧି ଦଳ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଓ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଭେଟି ରାଉରକେଲାର ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ବ୍ୟବସ୍ଥିତ ଥିବା ଏସଓଏସ ସଂଲଗ୍ନ ରିଙ୍ଗ ରୋଡ଼୍‌ ଠାରୁ ବିଏସଏନଏଲ ପଛପାଖ ପର୍ଯ୍ୟନ୍ତ ଏକ ପ୍ରଶସ୍ତ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ପାଇଁ ଦାବୀ କରିବା ସଙ୍ଗେ ସଙ୍ଗେ ଛେଣ୍ଡ କଲୋନୀର ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ଛେଣ୍ଡ ଠାରେ ହକି ଷ୍ଟାଡିଅମ ନିର୍ମାଣ ହେବା ପରେ ବିଶେଷ କରି ମ୍ୟାଚ୍‌ ଥିବା ଦିନ ଗୁଡିକରେ ସମସ୍ତ ଗାଡି ମଟର କଲୋନୀ ମୁଖ୍ୟ ରାସ୍ତା ଦେଇ ଯିବା ଆସିବା କରୁଥିବାରୁ କଲୋନୀବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯେଉଁ କାରଣରୁ ଏହି ରାସ୍ତାର ଆବଶ୍ୟକତା ବୃଦ୍ଧି ପାଇଛି । ଏହା ଛଡା ଛେଣ୍ଡ ଠାରେ ଆଫୋର୍ଡବଲ ହାଉସିଂ ସ୍କିମରେ ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ମାଣାଧୀନ ଗୃହ ଗୁଡିକ ପାଇଁ ଏହି ରାସ୍ତାର ଆବଶ୍ୟକତା ରହିଛି । ଉଲ୍ଲେଖଯୋଗ୍ୟ ଯେ, ରାଉରକେଲାର ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନାରେ ଆରମ୍ଭରୁ ଏହି ରାସ୍ତା ଓ ମୁଖ୍ୟ ଡ୍ରେନ୍‌ ନିର୍ମାଣର ବ୍ୟବସ୍ଥା ରହିଛି ।

ଆସୋସିଏସନର ସାଧାରଣ ସମ୍ପାଦକ ମିହିର ରାୟଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନବଘନ ସାହୁ, ହରିହର ଶତପଥୀ, ଦୀପକ ଦାସ ପ୍ରମୁଖ ସାମିଲ ଥିଲେ । ପ୍ରତିନିଧି ଦଳର ସଦସ୍ୟମାନେ ଏହି ରାସ୍ତା ଓ ଡ୍ରେନ୍‌ର ଆବଶ୍ୟକତା ଉପରେ ବିଭିନ୍ନ ଯୁକ୍ତି ବାଢିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ମହାପାତ୍ର ସମସ୍ତ ଯୁକ୍ତି ଗୁଡିକୁ ଶୁଣିବା ପରେ ରାସ୍ତା ନିର୍ମାଣ ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ପ୍ରତିନିଧି ଦଳ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ସମ୍ମୁଖରେ ଥିବା ଛକକୁ ଗୋପବନ୍ଧୁ ଛକରେ ନାମିତ କରିବା ପାଇଁ ଦାବୀ କରିଥିଲେ, ଯାହାକୁ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ମହାପାତ୍ର ଗ୍ରହଣ କରିବା ସହିତ ମ୍ୟୁନିସିପାଲଟିର ଅଧିକାରୀମାନଙ୍କୁ ଏହି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.