ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଗସ୍ତରେ ଗତକାଲି ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଆସିବା ଖବର ପାଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସରପଞ୍ଚ ସଙ୍ଘର ସଦସ୍ୟଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସଂଘ ସଭାପତି ବୀରବର ସାହୁଙ୍କ ନେତୃତ୍ୱରେ ସରପଞ୍ଚମାନଙ୍କ ଏକ ଟିମ୍ ସାଂସଦଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ତନ୍ମଧ୍ୟରୁ ଜାତୀୟ ଭତ୍ତା ଯୋଜନା ଅନ୍ତର୍ଗତ ଡିବିଟି ମୋଡରେ ହିତାଧିକାରୀଙ୍କୁ ଭତ୍ତା ଦିଆଯିବାର ବ୍ୟବସ୍ଥାକୁ ପ୍ରତ୍ୟାହାର କରି ପୁରୁଣା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବୀ କରିବା ସହ ସଂସଦରେ ଏହି ଦାବୀକୁ ଉପସ୍ଥାପନ କରିବା ତଥା ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରିବାକୁ କହିଥିଲେ । ନୂତନ ଭତ୍ତା ଯୋଜନାରେ ବହୁତ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ହିତାଧିକାରୀମାନେ ପ୍ରତି ମାସରେ ବ୍ୟାଙ୍କକୁ ଯିବା ଆସିବା କରିବା ପାଇଁ ଅଯଥାରେ ଖର୍ଚ୍ଚାନ୍ତ ହେଉଥିବା, ସଠିକ ଭାବରେ ଭତ୍ତା ମିଳୁ ନ ଥିବା, ଭତ୍ତା ପଡ଼ିଲା କି ନାହିଁ, ଜାଣି ନ ପାରିବା ଭଳି ଅଭିଯୋଗ ଲୋକେ କରୁଥିବା କହିଥିଲେ । ସେମାନେ କେମିତି ତାଙ୍କର ପ୍ରାପ୍ୟ ପାଇବାରେ ହଇରାଣ ହେଉଛନ୍ତି ତାଙ୍କୁ ଜଣାଇବା ସହ ପଞ୍ଚାୟତକୁ ମିଳୁଥିବା ସିଏଫସି ଅନୁଦାନ ବଢ଼ାଇବା ସହିତ ଗ୍ରାମ୍ୟ ଜଳ ଯୋଗାଣ ନିମନ୍ତେ ବିଦ୍ୟୁତ୍ ଦେୟ ପାଇଁ ଅଲଗା ପାଣ୍ଠି ପଞ୍ଚାୟତମାନଙ୍କୁ ଦେବାର ବ୍ୟବସ୍ଥା ପାଇଁ ଦାବୀ କରିଛନ୍ତି । ସରପଞ୍ଚମାନଙ୍କର ସବୁ ବିଷୟ ଶୁଣିବା ପରେ ଯାହା ବି ଅସୁବିଧା ତଥା ଦାବୀ ରହିଛି ସେମାନେ ସମସ୍ତେ ଏକ ଲିଖିତ ଦାବୀପତ୍ର ଜରିଆରେ ତାଙ୍କୁ ଦେବାକୁ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ କହିଥିଲେ । ଏହି ବୈଠକରେ ସରପଞ୍ଚ ସଙ୍ଘ ସମ୍ପାଦକ ନରେଶ ଅଗ୍ରୱାଲ, ପୃଥିବୀରାଜ ଚିନାଗୁନ, ହରିହର କଟା, ସରପଞ୍ଚଙ୍କ ପ୍ରତିନିଧି କିଶୋର ସାହୁ, ମୁନିରାମ ଖର୍ସେଲ, ବଳରାମ ଘିବେଲା, ଭୈରବ ବାବୁ, ମଣ୍ଟୁ ବାଗ, ପ୍ରକାଶ ମହାନନ୍ଦ, ବୈଷ୍ଣବ ମହାନନ୍ଦ, କୃଷ୍ଣ ହାତୀ, ଯୁଗଳ ସାହୁ, ରମେଶ ସାହୁ, ନିମାଇଁ ଚରଣ ବେହେରା ଏବଂ ଅନ୍ୟାନ୍ୟ ପଞ୍ଚାୟତର ସରପଞ୍ଚ ଏବଂ ସରପଞ୍ଚ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
Prev Post
Next Post