କଂଟାବାଂଜି, (ଗୁରୁଦୟାଲ ହଂସ) : ମହନିଲହରୁ ତୁରେକେଲା ରୋଡ୍ ରେଲୱେ ଷ୍ଟେସନକୁ ପକ୍କା ସଡକ ନିର୍ମାଣ ପାଇଁ ଦାବୀ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା ସଦର ପଂଚାୟତର ମହନିଲହ ଗ୍ରାମରୁ ତୁରେକେଲା ରୋଡ୍ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ପଂଚାୟତ ରାସ୍ତାକୁ ପକ୍କା ସଡକ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଗ୍ରାମବାସୀ ଦାବୀ କରି ଆସୁଛନ୍ତି । ନିର୍ବାଚନ ପରେ ନିର୍ବାଚନ ହେଉଥିଲେ ମଧ୍ୟ ତୁରେକେଲା ସଦର ପଂଚାୟତରୁ ବିଚ୍ଛିନ୍ନ ଥିବା ମହନିଲହ ଗ୍ରାମଟି ପଂଚାୟତ ସଦର ମହକୁମାରୁ ବିଛିନ୍ନ ହୋଇଛି ବୋଲି ମତପ୍ରକାଶ ପାଇଛି । ଏକ ବିଶେଷ ଅନୁସଂଧାନରୁ ଜଣାଯାଏ ଯେ ତୁରେକେଲା ସଦର ପଂଚାୟତ ମହକୁମା ତୁରେକେଲା, ମହୁଲବାହାଲି, ବୁଢିବାହାଲ, ବାଗବେଲ, ବାଗବାହାଲ, ବାଞ୍ଜିପାଲି ଓ ମହନିଲହ ଗ୍ରାମକୁ ନେଇ ଗ୍ରାମ ପଂଚାୟତ ଗଠିତ । ଏହି ମହନିଲହ ଗାଁଟି ଉପାନ୍ତ ମାଓବାଦୀ ଜଙ୍ଗଲ ଘେରା ଅଂଚଳରେ ଥିବା ବେଳେ କଂଟାବାଂଜି-ରାୟପୁରକୁ ସଂଯୋଗ କରିଥିବା ପୂର୍ବତଟ ରେଳ ଲାଇନ ପଂଚାୟତ ସଦର ମହକୁମା ଏବଂ ଗ୍ରାମକୁ ବିଚ୍ଛିନ୍ନ କରିଛି । ଫଳରେ ମହନିଲହ ଗ୍ରାମର ଜନସାଧାରଣ ଝରଣି ପଂଚାୟତର ରାମୁଡ ଓ ରାଉତମୁଣ୍ଡା ସହ ସଂଯୋଗ ଥିବା ପ୍ରଧାନମନ୍ତ୍ରୀ ସଡକ କଂଟାବାଂଜି-ତୁରେକେଲା ପିଡବ୍ଲୁଡି ରୋଡ୍କୁ ସଂଯୋଗ ହୋଇ ଦୀର୍ଘ ୭ କି.ମି. ଦୂରତା ମଧ୍ୟରେ ରହିଛି । ଫଳରେ ମହନିଲହ ଗ୍ରାମବାସୀ ଦୀର୍ଘ ୭ କି.ମି. ବୁଲି ପକ୍କା ସଡକ ଗଲା ପରେ ହିଁ ବ୍ଲକ କିମ୍ବା ପଂଚାୟତ ସଦର ମହକୁମାକୁ ଯାଇଥାନ୍ତି । ମହନିଲହ ଗ୍ରାମରୁ ତୁରେକେଲା ରୋଡ୍ ଷ୍ଟେସନ ପଂଚାୟତ ରାସ୍ତାକୁ ପକ୍କା ସଡକ ନିର୍ମାଣ ହେଲେ ଉଭୟ ମହନିଲହ, ରାଉତମୁଣ୍ଡା ଏବଂ ରାମୋଡ ଗ୍ରାମର ୫ ହଜାରରୁ ଅଧିକ ଜନସାଧାରଣ ରେଳ ସୁବିଧା ସୁଯୋଗ ପାଇବା ସହ ବ୍ଲକ ଓ ପଂଚାୟତ ସଦର କାର୍ଯ୍ୟାଳୟ ମଧ୍ୟରେ ଦୀର୍ଘ ୫ କିମି. ରାସ୍ତା କମ୍ ହୋଇପାରିବ । ଏହି ରାସ୍ତାକୁ ପକ୍କା ସଡକ ନିର୍ମାଣ ପାଇଁ ୩ ଗ୍ରାମର ଜନସାଧାରଣ ଦାବୀ କରୁଥିବା ବେଳେ ସଦର ପଂଚାୟତର ସରପଂଚ ଜଲନ୍ଧର ମହାକୁଡଙ୍କୁ ପଚାରିବାରୁ ଚଳିତ ପଂଚାୟତ ସମିତି ବୈଠକରେ ଦାବୀ ଉପସ୍ଥାପନ କରିବା ସହ ଗ୍ରାମ୍ୟ ରାସ୍ତା ନିର୍ମାଣ ବିଭାଗ କଂଟାବାଂଜି ଉପଖଣ୍ଡକୁ ଲିଖିତ ଭାବେ ଜଣାଇବେ ବୋଲି କହିଛନ୍ତି ।
Prev Post