ପାନୀୟ ଜଳ ସମାଧାନ ପାଇଁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଗକୁ ଗ୍ରୀଷ୍ମ ଋତୁ ଆସୁଛି । ବର୍ତ୍ତମାନ ଫେବୃୟାରୀ ମାସର ଖରାକୁ ଦେଖିଲେ ସ୍ପଷ୍ଟ ଭାବେ ଅନୁମେୟ କରିହେବ ଯେ ଆଗକୁ ସ୍ଥିତି ସଂଗୀନ ହେବ । ବ୍ୟାପକ ବୃକ୍ଷ କାଟିବା ସାଙ୍ଗକୁ କଳକାରଖାନାର ବୃଦ୍ଧି, ଗ୍ରୀନ ହାଉସ୍‍ର ପ୍ରଭାବକୁ ବୃଦ୍ଧି କରିବା ସହ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ସାଧାରଣ ଜନତା ସଚେତନ ହେବା ସହ ବ୍ୟାପକ ବୃକ୍ଷ ରୋପଣ କରିବା ଉଚିତ । ଏନେଇ କଂଗ୍ରେସ ନେତା ପ୍ରଶାନ୍ତ ସେଠୀଙ୍କ ଦ୍ଵାରା ଆହୁତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ମୁଁ ଜଣେ ବ୍ୟକ୍ତି ବିଶେଷ ଓ ସରକାର ଏକ ବ୍ୟବସ୍ଥା । ବସ୍ତି ଅଭିଯାନରେ ସେ ପ୍ରାୟ ୧୭୦ ବସ୍ତିରେ ବୁଲିବା ପରେ ଅଧିକାଂଶ ସମସ୍ୟା ବସ୍ତି ବାସିନ୍ଦା ତାଙ୍କୁ ଜଣାଇଥାନ୍ତି । ସେଥିମଧ୍ୟରୁ ପ୍ରାୟ ୫୦ରୁ ୬୦ ପ୍ରତିଶତ ବସ୍ତିରେ ଏବେ ବି ପାଣି ସମସ୍ୟା ରହିଛି । କେତେକ ବସ୍ତିରେ ପାଣି ପାଇଁ ପାଇପ୍‍ ବିଛା କାର୍ଯ୍ୟ ସରିଥିଲେ ମଧ୍ୟ ମୁଖ୍ୟ ଜଳସ୍ରୋତ ସହ ସଂଯୋଗ ହୋଇନାହିଁ । କେତେକ ବସ୍ତିରେ ଏପର୍ଯ୍ୟନ୍ତ ପାଇପ୍‍ ବିଛା କାର୍ଯ୍ୟ ହୋଇନାହିଁ । ସାଧାରଣତଃ ବସ୍ତି ବାସିନ୍ଦା ପିଇବା ପାଣି ପାଇଁ ନଳକୂପ ଉପରେ ନିର୍ଭରଶୀଳ ଓ କେତେ ସ୍ଥାନରେ ଆର୍‍ଏସ୍‌ପି ପକ୍ଷରୁ ପାଣି ପାଇପ୍ ବ୍ୟବସ୍ଥା କରାଯାଇଛି । ମାତ୍ର ଗ୍ରୀଷ୍ମ ଋତୁ ଆସିଲେ ପାଣିର ଉତ୍ସ କମିବା ସହ ଅନେକ ନଳକୂପ ଅଚଳ ହୋଇପଡ଼ିଥାଏ । ନଦୀରେ ଜଳ ଉତ୍ସ ହ୍ରାସ ପାଇବା ସହ ପାଣି ପ୍ରବାହ ମଧ୍ୟ କମିଥାଏ । ତେଣୁ ଏହି ସମୟରେ ପାନୀୟ ଜଳ ସମସ୍ୟା ପ୍ରାୟ ଦେଖାଦେଇଥାଏ । ବସ୍ତି ବାସିନ୍ଦାକୁ ଗ୍ରୀଷ୍ମ ଋତୁ ପୂର୍ବରୁ ସମସ୍ତ ବସ୍ତି ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ବିଭାଗୀୟ ପିଏଚଡ଼ି ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ନଚେତ୍ ଆସନ୍ତା ୧୫ ଦିନ ମଧ୍ୟରେ ଏହି ପାଣି ଯୋଗାଣ ବ୍ୟବସ୍ଥା ସଠିକ୍ ନ ହେଲେ ଆଗାମୀ ଦିନରେ ସମସ୍ତ ବସ୍ତି ବାସିନ୍ଦାଙ୍କୁ ନେଇ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ୱନ ପାଇଁ ବାଧ୍ୟ ହେବୁ ବୋଲି ଶ୍ରୀ ସେଠୀ କହିଥିଲେ । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ, ଉପସଭାପତି ଉମେଶ ଚନ୍ଦ୍ର ଶରଣ, ପିସିସି ସଭ୍ୟା ପ୍ରଭାତୀ ମିଶ୍ର, ଉପସଭାପତି ସନ୍ତୋଷ ବିଶ୍ୱାଳ, ସରୋଜ ଲେଙ୍କା, ପିସିସି ସଦସ୍ୟା ତୁଳସୀ ନାଗ, ଲତା ନାୟକ ଓ ରାଜ୍ୟ ସୋସିଆଲ ମିଡ଼ିଆ ସମ୍ପାଦକ ବିଶ୍ୱ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.