om academy

ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବିରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗୀର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ମୌଜାର ରୁଗୁଡିଖାଲ ଠାରେ ଥିବା ସରକାରୀ ଜମିକୁ ଜମି ମାଫିଆଙ୍କ ଜବରଦଖଲରୁ ମୁକ୍ତ କରିବା ଦାବିରେ ସୋମବାର ଶତାଧିକ ଗ୍ରାମବାସୀ ସ୍ଥାନୀୟ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବା ସହିତ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ବୁଢ଼ୀପଦର ଗ୍ରାମ୍ୟ ବିକାଶ କମିଟି ତରଫରୁ ଶତାଧିକ ଗ୍ରାମବାସୀ ସ୍ଥାନୀୟ ଅଗ୍ରସେନ ଭବନ ଠାରୁ ଏକ ବାଇକ ଶୋଭାଯାତ୍ରାରେ ତହସିଲ କାର୍ୟ୍ୟାଳୟ ଠାରେ ପହଞ୍ଚିଥିଲେ । ତହସିଲଦାରଙ୍କ ବିରୋଧରେ ନାରାବାଜି ପୂର୍ବକ ରୁଗୁଡିଖାଲ ଠାରେ ଥିବା ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବାକୁ ସ୍ଲୋଗାନ ଦେଇ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତହସିଲଦାର ଅଶୋକ ମିଶ୍ର ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରି ସରକାରୀ ଜମିରେ ହେଉଥିବା କାମକୁ ନିଶ୍ଚିତ ଭାବେ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ପ୍ରଶାସନର ଅବହେଳା ଯୋଗୁଁ ଜବରଦଖଲ କାରୀ ନିର୍ମାଣ କାର୍ୟ୍ୟ ଜାରି ରଖିଥିବା ଅଭିଯୋଗ କରି ତୁରନ୍ତ ବୁଲଡୋଜର ଦ୍ୱାରା ନିର୍ମାଣ କାମ ଭାଙ୍ଗିବାକୁ ଦାବି କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୁଢ଼ୀପଦର ସରପଞ୍ଚ ଲକ୍ଷ୍ମୀ ପଧାନ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥଲେ । ସୂଚନାଯୋଗ୍ୟ ଯେ ରୁଗୁଡିଖାଲ ସ୍ଥିତ ଉକ୍ତ ସରକାରୀ ଜମିଟି ଜାତୀୟ ରାଜପଥ କଡରେ ଥିବା ବେଳେ ସେଠାରେ ସ୍ବର୍ଗତ ଦୀନବନ୍ଧୁ ଛତ୍ରୀଆଙ୍କ ପରିବାର ଲୋକେ ବେଆଇନ ଭାବେ ଦୋକାନ ଗୃହ ନିର୍ମାଣ କରୁଛନ୍ତି । ସ୍ଥାନୀୟ ପ୍ରଶାସନକୁ ଗ୍ରାମବାସୀ ଲିଖିତ ଭାବେ ପୂର୍ବରୁ ଜଣାଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ ଦିଗରେ କୌଣସି ପଦକ୍ଷେପ ନିଆ ଯାଇ ନ ଥିଲା । ଫଳରେ ବୁଢ଼ୀପଦର ସରପଞ୍ଚ ଶ୍ରୀମତୀ ପଧାନ, ଗ୍ରାମ୍ୟ ବିକାଶ କମିଟି ସଭାପତି ବିକ୍ରମ ସିଂରାଏ, ସମ୍ପାଦକ ବେଦପତି ପଧାନ, ମାନସ ଯଜ୍ଞ କମିଟି ସଭାପତି ବଳଦେବ ଭୋଇ, ପ୍ରହଲ୍ଲାଦ ପଧାନ, ଘାସିରାମ ବେହେରା, ଶେଷଦେଵ ପଧାନ, ଗଣେଶ ପଧାନ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.