କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପିଡିଏସ୍ ସାମଗ୍ରୀ ଅଫ୍ଲାଇନ୍ ମାଧ୍ୟମରେ ଯୋଗାଇଦେବା ପାଇଁ ଯୋଗାଣ ସହାୟକ ସଂଘ କନ୍ଧମାଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି । କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ଏହିଭଳି ନିଷ୍ପତ୍ତି ନେବାକୁ ଅଭିଯୋଗରେ ଦର୍ଶାଯାଇଛି । ଦୀର୍ଘ ୮ବର୍ଷ କାଳ ସାଧାରଣ ବଣ୍ଟନ ବ୍ୟବସ୍ଥା ସୁଚାରୁରୂପେ ହୋଇଆସୁଥିଲା । ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଧାର କିମ୍ବା ଆଇଆର୍ଆଇଏସ ଦ୍ୱାରା ପିଡିଏସ୍ ସାମଗ୍ରୀ ଚାଉଳ, ଗହମ, କିରୋସିନ ବଣ୍ଟନ କଲେ ସଂକ୍ରମଣ ବଢ଼ିପାରେ । କାରଣ ଗୋଟିଏ ଇପିଓଏସ୍ ମେଶିନ ଦ୍ୱାରା ସମସ୍ତ ହିତାଧିକାରୀଙ୍କ ଆଖି ଓ ଅଙ୍ଗୁଳି ସ୍କାନ ହେଉଥିବା ଯୋଗୁଁ ହିତାଧିକାରୀମାନେ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ଅନ୍ଲାଇନ୍କୁ ଛାଡି ଅଫ୍ଲାଇନ୍ ଦ୍ୱାରା ପିଡିଏସ୍ ସାମଗ୍ରୀ ବଣ୍ଟନ କରିବା ପାଇଁ ସଂଘର ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ଦେହୁରୀ, ସଦସ୍ୟ ଭୀମସେନ ଗଣ୍ଡା, ଅରୁଣ କହଁର, ନୟନୀ ମଲିକ, ଅର୍ଜୁନ ସାହାଣୀ ପ୍ରମୁଖ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।