- ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦେଇ ରେଜିଷ୍ଟେସନ କରିବାକୁ ଚାପ
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା, ମ. ରାମପୁର ମହିଳା ସବ ରେଜିଷ୍ଟର ସୌଦାମିନି ମାଝିଙ୍କ ଦବଙ୍ଗଗିରି ଅଭିଯୋଗ ହୋଇଛି । ଏଠାରେ ପ୍ରକାଶ ଯେ ମ. ରାମପୁର ସରପଞ୍ଚ ବୀଣାପାଣି ସାହୁ ଜଣେ ଗରିବ ଅସହାୟ ବ୍ୟକ୍ତି ହିମାଂଶୁ ପ୍ରଧାନଙ୍କୁ ୨ ଡିସିମିଲ ଜାଗା ଦେବା ପାଇଁ ସ୍ଥାନୀୟ ରେଜିଷ୍ଟ୍ରି ଅଫିସକୁ ଯାଇ ରେଜିଷ୍ଟ୍ରି ଷ୍ଟାମ୍ପ ଦେବା ପରେ ଉକ୍ତ ଜମିର ମୂଲ୍ୟ ୨ ଡିସିମିଲକୁ ୧ ଲକ୍ଷ ଟଙ୍କାଦେଲେ, ରେଜିଷ୍ଟ୍ରି ହେବ ବୋଲି କହି ଷ୍ଟାମ୍ପ ଫେରାଇ ଦେଇଥିଲେ । ଏହି ଜମି ସରକାରଙ୍କ ବେଞ୍ଚ ମାର୍କ ମୂଲ୍ୟ ୭୯୪୨ ଟଙ୍କା ଥିବାବେଳେ ଉକ୍ତ ଜମିର ମୂଲ୍ୟକୁ ୧ ଲକ୍ଷ ଟଙ୍କା କରିବା ପାଇଁ ବାଧ୍ୟ କରିଥିଲେ । ଯାହା ଫଳରେ ଉକ୍ତ ଗରିବ ଲୋକ ନିରାଶ ହୋଇ ଫେରି ଯାଇଥିଲେ । ଏ ନେଇ ସବରେଜିଷ୍ଟ୍ରି ଅଫିସର ଶ୍ରୀମତୀ ମାଝୀ ଫୋନ ଯୋଗେ ଯୋଗାଯୋଗ କରିବାରୁ ଫୋନ ଗ୍ରହଣ କରି ନଥିଲେ । ପରେ ଜିଲ୍ଲା ସବରେଜିଷ୍ଟ୍ରି ଅଫିସରଙ୍କୁ ଯୋଗାଯୋଗ କରିବାରୁ କୌଣସି ସରକାରୀ ଅଧିକାରୀ ସରକାରଙ୍କ ବେଞ୍ଚ ମୂଲ୍ୟକୁ ବଢ଼େଇ ପାରିବେ ନାହିଁ, କିନ୍ତୁ କ୍ରେତା ବିକ୍ରେତା ଚାହିଁଲେ ଉକ୍ତ ଜମିର ମୂଲ୍ୟ ବଢ଼େଇ ପାରିବେ ବୋଲି କହିଥିଲେ । ଏହାର ଉପଯୁକ୍ତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା ।