ବଲାଙ୍ଗିର, (କେପିଏନ୍ଏସ୍) : ପୁଣି ଏକ ସାଇବର୍ କ୍ରାଇମ୍ ସାମ୍ନାକୁ ଆସିଥିବା ବେଳେ ଠକେଇର ଶିକାର ହୋଇଥିବା ପୀଡ଼ିତା ବଲାଙ୍ଗିର ଟାଉନ୍ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସହର ଚିମିନିଭାଟିପଡାର ସନ୍ଧ୍ୟା ପାତ୍ରଙ୍କ ଠାରୁ ଏଭଳି ଭାବରେ ଠକେଇ ହୋଇଥିବା ଆଜି ଦିନ ୧୨ଟା ସମୟରେ ଟାଉନ ଥାନାରେ ଅଭିଯୋଗ ହୋଇଛି । ତାଙ୍କ କହିବା ଅନୁସାରେ ଗତ ଡିସେମ୍ବର ମାସ ୨୭ ତାରିଖ ଦିନ ୮୬୫୩୧୯୩୧୭୨ ଓ ୯୦୩୮୫୨୭୫୦୨ ନମ୍ବରରୁ ତାଙ୍କ ପାଖକୁ ଏକ କଲ ଆସିଥିଲା । ତୁମର ୨ ଲକ୍ଷ ୨୦ ହଜାର ଟଙ୍କା କ୍ୟାସ ପ୍ରାଇଜ୍ ଆସିଛି କହି ଆକାଉଣ୍ଟ ନମ୍ବର ମଗାଯାଇଥିଲା । ଆର୍ଡିଏସ୍ ଓ ଜିଏସ୍ଟି ଚାର୍ଜ ଲାଗିବ କୁହାଯିବାରୁ ସନ୍ଧ୍ୟା ପ୍ରଥମେ ୯ ହଜାର ୯୦୦ ଓ ପରେ ୨୨ ହଜାର ୯୯୯ ଟଙ୍କା ପଠାଇଥିଲେ । ପରେ କିନ୍ତୁ ତାଙ୍କ ପାଖକୁ କୌଣସି ପ୍ରାଇଜ୍ ଟଙ୍କା ଆସିଲା ନାହିଁ । ଏନେଇ ସେ ଠକେଇର ଶିକାର ହୋଇଥିବା ଜାଣି ଆଜି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେହି ସାଇବର୍ ଠକକୁ ଧରି ତାଙ୍କ ଟଙ୍କା ଉଦ୍ଧାର କରିବାକୁ ସେ ଥାନାରେ ଅନୁରୋଧ କରିଛନ୍ତି ।