୨୭ତମ ସର୍ବ ଭାରତୀୟ ବୋଡାସମ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବରଗଡ଼ ବ୍ଲୁ ଡାଇମଣ୍ଡକୁ ହରାଇ ରାଉରକେଲା ସେମିଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆଠାରେ ଚାଲିଥିବା ୨୭ତମ ସର୍ବ ଭାରତୀୟ ବୋଡସେମ୍ବର କ୍ରିକେଟ କପର ଆଜି ଦ୍ୱିତୀୟ ଦିବସରେ ବରଗଡ଼ ବ୍ଲୁ ଡାଇମଣ୍ଡ ଓ ଆରୱାସିସି ରାଉରକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ଆରମ୍ଭରେ ପ୍ରଥମେ ବରଗଡ଼ ଦଳ ଟସ୍ ଜିଣି ରାଉରକେଲା ଦଳକୁ ବେଟିଙ୍ଗ କରିବାର ସୁଯୋଗ ଦେଇଥିଲେ । ରାଉରକେଲା ଦଳ ନିର୍ଧାରିତ ୩୦ ଓଭରରେ ସମସ୍ତ ଉଇକେଟ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା । ପ୍ରତିପକ୍ଷରେ ବରଗଡ଼ ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୭୫ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇ ରାଉରକେଲା ଦଳଠାରୁ ପରାସ୍ତ ହୋଇଥିଲେ । ଏହି ବିଜୟ ସହ ଗୃପ ‘ଏ’ରେ ରାଉରକେଲା ଦଳ ସେମିଫାଇନାଲ ମ୍ୟାଚରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ରାଉରକେଲା ଦଳର ରଣଜିତ ସିଂ ୪୪ ରନ କରିଥିବା ବେଳେ ବରଗଡ଼ ଦଳର ମିତ୍ର ପ୍ରଧାନ ୫ ଗୋଟି ଉଇକେଟ ନେଇ ଖେଳକୁ ଆକର୍ଷିତ କରିପାରିଥିଲେ । ଆସନ୍ତାକାଲି ତୃତୀୟ ଦିନରେ ଗୃପ ‘ଏ’ ପୋଲର ପ୍ରଥମ ସେମିଫାଇନାଲ ମ୍ୟାଚ ଆହ୍ଲାବାଦ ଓ ରାଉରକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଆଜି ଦ୍ୱିତୀୟ ଦିନର ପୁରସ୍କାର ବିତରଣ ଅବସରର ଅତିଥି ଭାବରେ ବୋଡାସମ୍ବର ସ୍ପେଟିଙ୍ଗର ବରିଷ୍ଠ ଉଦ୍ୟେକ୍ତା ପ୍ରଶାନ୍ତ ମହାନ୍ତିଙ୍କ ସମେତ ବରିଷ୍ଠ ସଦସ୍ୟ କପିଲ୍ ଅଗ୍ରୱାଲ, ସୁରଜୀତ ଦୀପ୍, ଧ୍ୟାନଚାନ୍ଦ ଲୁହାର ପ୍ରମୁଖ ଯୋଗଦାନ କରିଥିଲେ । ମ୍ୟାଚର ମେନ୍ ଅଫ୍ ଦି ମେଚ୍ ଭାବରେ ରାଉରକେଲା ଦଳର ଖେଳାଳି ଆଶିଷ ତିୱାରୀଙ୍କୁ ପୁରସ୍କୃତ କରିଥିଲେ । ଆସନ୍ତା ୧୫ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ଆଠଟି ଦଳ ଯୋଗଦାନ କରିଛନ୍ତି । ବିଜେତା ଦଳଙ୍କୁ ୬୦ ହଜାର ନଗଦ ରାଶି ସହ ବୋଡାସମ୍ବର ଟ୍ରଫି, ଉପବିଜେତା ଦଳକୁ ୪୦ ହଜାର ନଗଦ ରାଶି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି । ଆଜିର ଦ୍ୱିତୀୟ ଦିନର ମ୍ୟାଚକୁ ଅମ୍ପାୟାର ବିଶ୍ୱମ୍ବର ମହାକୁଡ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ ।

Leave A Reply

Your email address will not be published.