ଗୁଡ଼ଭେଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ହାଇସ୍କୁଲ ଖେଳପଡିଆଠାରେ ଶିକେରପାଟ୍ ୟୁଥ୍ କ୍ଳବର ଆନୁକୂଲ୍ୟରେ ଆୟୋଜିତ ଶିକେରପାଟ୍ ଚାମ୍ପିଅନ ଟ୍ରଫି କ୍ରିକେଟ ୨୦୨୬ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଉଠୁଛି । ତୃତୀୟ ଦିବସରେ ଖେଳପଡିଆରେ ଦର୍ଶକଙ୍କ ଭିଡ଼ ଓ ଖେଳାଳିଙ୍କ ଉତ୍ସାହ ମ୍ୟାଚ୍ଗୁଡିକୁ ଅଧିକ ଆକର୍ଷଣୀୟ କରିଥିଲା । ଏହି ଦିନରେ ମୁଖ୍ୟ ଅତିଥି ଭାବରେ ଯୁବନେତା ଭିକୁ କମ୍ପ ଉପସ୍ଥିତ ଥିବାବେଳେ, ସମ୍ମାନିତ ଅତିଥି ଭାବରେ ଟିକେବତ ନାହାକ, ବିରଞ୍ଚି ସାହୁ, ସତ୍ୟନାରାୟଣ କର୍ମୀ, ମନୋଜ ହରପାଲ, ହେମାନନ୍ଦ ଜାଲ, ଶତୃଘ୍ନ ବେହେରା ଓ ମନିଷ ଅଗ୍ରୱାଲ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ତୃତୀୟ ଦିବସର ପ୍ରଥମ ଲିଗ୍ ମ୍ୟାଚ୍ରେ ଟପର୍ଣ୍ଣା ଓ ରହେନମାଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା । ଟସ୍ ଜିତି ରହେନମାଳ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟପର୍ଣ୍ଣା ଦଳ ନିର୍ଦ୍ଧାରିତ ୮ ଓଭର୍ରେ ୬୫ ରନ୍ ସଂଗ୍ରହ କରି ବିପକ୍ଷ ଦଳକୁ ଲକ୍ଷ୍ୟ ଦେଇଥିଲା । ଜବାବରେ ରହେନମାଳ ଦଳ ୫ ୱିକେଟ୍ ବିନିମୟରେ ୬୬ ରନ୍ ସଂଗ୍ରହ କରି ସଫଳତାର ସହିତ ମ୍ୟାଚ୍ ଜିତିଥିଲା । ସେହିପରି ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ଦୁହେଲ ଓ ଜାମୁଟ ମଧ୍ୟରେ ହୋଇଥିବା ମ୍ୟାଚ୍ଟି ମଧ୍ୟ ବହୁତ ରୋମାଞ୍ଚକର ଥିଲା । ଟସ୍ ଜିତି ଜାମୁଟ ଦଳ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁହେଲ ଦଳ ନିର୍ଦ୍ଧାରିତ ୮ ଓଭର୍ରେ ୭ ୱିକେଟ୍ ବିନିମୟରେ ୧୨୩ ରନ୍ ସଂଗ୍ରହ କରି ଜାମୁଟ ଦଳକୁ ଭାରୀ ଲକ୍ଷ୍ୟ ଦେଇଥିଲେ । ଜାମୁଟ ଦଳ ୩ ୱିକେଟ୍ ହରାଇ ୮୭ ରନ୍ କରି ପରାଜିତ ହୋଇଥିଲା । ଏହାପରେ ହୋଇଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ରହେନମାଳ ଓ ଦୁହେଲ ମଧ୍ୟରେ ହାଇଭୋଲ୍ଟେଜ୍ ମୁକାବିଲା ଦେଖିବାକୁ ମିଳିଥିଲା । ଟସ୍ ଜିତି ଦୁହେଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର୍ରେ ୭୧ ରନ୍ ସଂଗ୍ରହ କରିଥିଲେ । ଜବାବରେ ରହେନମାଳ ଦଳ ୫ ୱିକେଟ୍ ବିନିମୟରେ କେବଳ ୩୮ ରନ୍ କରି ପରାଜିତ ହୋଇଥିଲା । ଏହି ବିଜୟ ସହ ଦୁହେଲ ଦଳ ସେମିଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇ ନିଜର ଦୃଢ଼ ପ୍ରଦର୍ଶନର ପରିଚୟ ଦେଇଥିଲା । ମ୍ୟାଚ୍ଗୁଡିକୁ ସୂଚାରୁ ଭାବରେ ପରିଚାଳନା କରିବା ପାଇଁ ଅମ୍ପିଆର୍ ଭାବରେ ଯାଦବ ବେହେରା ଓ ୱାରଫ ଖାଁ ଦାୟିତ୍ୱ ନିର୍ବାହ କରିଥିବାବେଳେ, ମହେନ୍ଦ୍ର ନନ୍ଦ ଓ ହିତେଶ ମଲ୍ଲିକ ଖେଳର ଧାରାବିବରଣୀ ଦେଇ ଦର୍ଶକଙ୍କୁ ମ୍ୟାଚ୍ ସହ ଯୋଡି ରଖିଥିଲେ । ନାରାୟଣ ଦାସ ସ୍କୋରର୍ ଭାବରେ ଦାୟିତ୍ୱ ସଫଳତାର ସହିତ ପାଳନ କରିଥିଲେ । ଏହି ସମଗ୍ର କ୍ରୀଡା ମହୋତ୍ସବକୁ ସଫଳ କରିବାରେ ଶିକେରପାଟ୍ ୟୁଥ୍ କ୍ଳବର ସମସ୍ତ ସଦସ୍ୟ ନିଷ୍ଠା ଓ ଦେଶଭାବନା ସହିତ ସକ୍ରିୟ ଭାବେ ସହଯୋଗ କରିଥିଲେ ।