
ଝାରସୁଗୁଡ଼ା : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ନବଙ୍କ ଝାରସୁଗୁଡ଼ା ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଲା ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ନୂଆ ତଦନ୍ତ ଅଧିକାରୀ ଏବଂ ଜଣେ ମହିଳା ଅଧିକାରୀ ନବଙ୍କ ଘରେ ପହଞ୍ଚିଛନ୍ତି । ପୁଅ ବିଶାଳ, ଝିଅ ଦୀପାଳି ଏବଂ ସ୍ତ୍ରୀ ମୀନତିଙ୍କର ବୟାନ ରେକର୍ଡ ହେବ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରି ସାରିଛି । ଏହି ମାମଲା ଏବେ ବିଚାରଧୀନ ଥିବାବେଳେ ୩୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେଲାଣି । ଯଦି ଏହି ମାମଲାରେ କୌଣସି ଅଧିକ ତଥ୍ୟ ମିଳେ ତେବେ ସେନେଇ ତଦନ୍ତ କରି ଆଡିସନାଲ ଚାର୍ଜସିଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ଦାୟିତ୍ଵ ଦିଆଯାଇଥିଲା । ସେହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସଙ୍କୁ ନୋଟିସ ଜାରି କରିଥିଲା । ଯଦି ତାଙ୍କ ପାଖରେ କୌଣସି ନୂଆ ଆପତ୍ତି ବା ତଥ୍ୟ ଅଛି ତାହା ଜଣାଇବାକୁ ନୋଟିସ କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ବିଶାଳ ଏବଂ ଦୀପାଳି ସମୟ ମାଗିବା ସହ ଘରେ ବୟାନ ରେକର୍ଡ କରିବା ପାଇଁ କହିଥିଲେ । ତେଣୁ ଆଜି ଏକ ଟିମ୍ ନବଙ୍କ ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଛି ।