jittmm
sonalika

କୋଭିଡ ସଚେତନତା ରଥକୁ ଜିଲ୍ଲାପାଳ କଲେ ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇଛି ଅଗ୍ରଣି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏକସନ୍‌ ଆଡ୍‌ । ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶାସନ ତଥା ଏକସନ୍‌ ଆଡ୍‌ ତରଫରୁ ଏକ ସଚେତନତା ରଥର ଆୟୋଜନ କରାଯାଇଛି । ଆଜି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ କରୋନାକୁ ପ୍ରତିହତ କରିବା ପାଇଁ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ୱାରା ଜନସାଧାରଣ ସଚେତନ ହେବା ସହିତ ପ୍ରତିଷେଧକ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିବେ । ଜିଲ୍ଲାର ସମସ୍ତ ଯୋଗ୍ୟ ନରନାରୀ ଏବଂ ଯୁବବର୍ଗ କରୋନା ଟିକା ନେବା ନିତ୍ୟାନ୍ତ ଆବଶ୍ୟକ । ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ଛଅଟି ବ୍ଲକ ପରିକ୍ରମା କରିବ । ଏହି କାର୍ଯ୍ୟକ୍ରମକୁ ସୋନପୁର ଓ ତରଭା ବ୍ଲକରେ ରେଆର, ବିନିକା ବ୍ଲକରେ ମହାନଦୀ ଯୁବ ସଂଗଠନ ଓ ଏଚ୍‌ଟୁଓ ହେଲପଟୁ ଓଦର, ବୀରମହାରାଜପୁର ବ୍ଲକରେ ସିୟା ପରିବାର, ଉଲୁଣ୍ଡା ବ୍ଲକରେ ଯୁବ ମହାସଂଘ ଓ ଗ୍ରାମୋତ୍ଥାନ ଇତ୍ୟାଦି ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମସ୍ତ ପ୍ରକାର ସହାୟତା କରିବା ସହିତ ସଚେତନତା ସୃଷ୍ଟି କରିବା ନିମନ୍ତେ ସହଯୋଗ କରିବେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଥିବା ଏହି ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ରେଆର ସମ୍ପାଦକ ଅନଙ୍ଗ ନେଗୀ, ଏକସନ୍‌ ଆଡ୍‌ ପ୍ରତିନିଧି ରାକେଶ ପ୍ରଧାନ, ଗ୍ରାମୋଥାନ ପ୍ରତିନିଧି ପ୍ରତାପ ପଧାନ, ସିୟା ସମ୍ପାଦକ ସୁଦାମ ଗାଈଗରିଆ ଏବଂ ରେଆର ଓ ଚାଇଲ୍ଡ ଲାଇନର ବିଭିନ୍ନ କର୍ମକର୍ତ୍ତା ଗଣ ଓ ପ୍ରତିନିଧି ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ମୃତ୍ୟୁ ଶୂନ ରହିଛି ।

Leave A Reply

Your email address will not be published.