କୋଭିଡ଼ରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ସବ୍ନମ୍ ସିରିନ୍ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ୱର, (କେପିଏନ୍ଏସ୍) : କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍-୭ର କାର୍ଯ୍ୟକ୍ରମ ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍ ସିରିନ୍ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅବଶ୍ୟକ ତଥ୍ୟ ସଂଗ୍ରହ ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ସହାୟତା ରାଶି ସବନମ୍ଙ୍କ ସ୍ୱାମୀ କମରୁଦ୍ଦିନ୍ ଖାଁଙ୍କୁ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ କାର୍ୟ୍ୟରତ ସାମ୍ବାଦିକା ସ୍ୱର୍ଗୀୟା ସିରିନ୍ ଗତ ୨୦୨୧ ମସିହା ମଇ ମାସ ୧୧ ତାରିଖରେ କୋଭିଡ଼ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ପ୍ରକାଶ ଥାଉ କି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଅର୍ଥ ସବନମ୍ଙ୍କ ସ୍ୱାମୀ ଓ ସେମାନଙ୍କ ନାବାଳିକା ଝିଅ ସିନିମ୍ଙ୍କ ଯୁଗ୍ମ ଜମାଖାତାକୁ ଅନ୍ ଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ସହାୟତା ପାଇବା ପରେ ହିତାଧିକାରୀ କମରୁଦ୍ଦିନ ସୂଚନା ଓ ଲୋକ ସଂପର୍କ ବିଭାଗ ତଥା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସହାୟତା ରାଶି ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଅନୁଜ ଦାସ ପଟ୍ଟନାୟକ, ଜିଲ୍ଲା ଜରୁରୀ ଅଧିକାରୀ ଉର୍ମିପ୍ରଭା ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପଠାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।