jayashree

ଅଯଥା ଭୟଭିତ ହୁଅନ୍ତୁ ନାହିଁ, କୋଭିଡ୍‌ ନିୟମ ପାଳନ କରନ୍ତୁ : ମନ୍ତ୍ରୀ ଶ୍ରୀ ଦାସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ ପୁଣିଥରେ ବିଦେଶରେ ବିଭିନ୍ନ ପ୍ରାନ୍ତରେ କାୟା ବିସ୍ତାର କରୁଥିବା ବେଳେ ଭାରତରେ ସେମିତି ପରିସ୍ଥିତି ଉପୁଜି ନାହିଁ । ରାଜ୍ୟରେ ଏବେ ସୁଦ୍ଧା ଏହାର ବିଶେଷ କିଛି ପ୍ରଭାବ ନାହିଁ । ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ ମହାମାରୀ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ଦୈନିକ ଛଅ ହଜାର କୋଭିଡ୍‌ କେସ୍‌ର ସାମ୍ପଲ ଟେଷ୍ଟିଂ ହେଉଥିବା ବେଳେ ସେଥିରୁ ତିନିରୁ ନଅ ମଧ୍ୟରେ ପଜିଟିଭ୍‌ କେସ୍‌ ବାହାରୁଛି । ଏହି ପଜିଟିଭ୍‌ ରିପୋର୍ଟରୁ ଜେନମ୍‌ ସିକ୍ୟୁଏନ୍ସିଂ କରାଯାଉଛି । ରାଜ୍ୟରେ କୋଭିଡ୍‌ ଟେଷ୍ଟିଂ ହାର ସର୍ବ ଭାରତୀୟ ସ୍ତରଠାରୁ ଅଧିକା ଥିବାବେଳେ ଏହା ଆମକୁ ଆହୁରି ମଧ୍ୟ ବୃଦ୍ଧି କରାଯିବ । ତେବେ ଏହା ଆଇସିଏମ୍‌ଆର୍‌ର ମାର୍ଗଦର୍ଶନ ଉପରେ ପର୍ଯ୍ୟବେଷିତ ହେବ ।

ରାଜ୍ୟରେ ଜେନମ୍‌ ସିକ୍ୟୁଏନ୍‌ସିଂ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତମାନ ଭୁବନେଶ୍ୱରର ଭାରତୀୟ ଜୀବ ବିଜ୍ଞାନ କେନ୍ଦ୍ର (ଆଇଏଲ୍‌ଏସ୍‌) ଓ ଆଂଚଳିକ ଭେଷଜ ଗବେଷଣା ଅନୁଷ୍ଠାନଠାରେ ଏହି ସୁବିଧା ଥିବାବେଳେ ଖୁବ୍‌ ଶୀଘ୍ର ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଏହି ସୁବିଡଧା ମିଳି ପାରିବ । ଅନ୍ୟ ସବୁ ଜିଲ୍ଲା ମଧ୍ୟ ଭୁବନେଶ୍ୱରର ଆଏଲ୍‌ଏସ୍‌ ଓ ଆର୍‌ଏମ୍‌ଆରସିକୁ ଜିନୋମ ସିକ୍ୟୁଏନ୍‌ସିଂ ପାଇଁ ପଠାଇବେ ।

ସେହିପରି ପରିସ୍ଥିତିରେ ଅବନତି ଘଟିଲେ ବିମାନ ବନ୍ଦର ଗୁଡିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଓଡିଶାକୁ କୌଣସି ଆନ୍ତର୍ଜାତିକ ଉଡାଣର ସୁବିଧା ନଥିବା ବେଳେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଦିଲ୍ଲୀଠାରେ ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଉଛି । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଉଥିବା ମାର୍ଗଦର୍ଶୀକା ଲାଗୁ କରାଯାଇଛି ।

କୋଭିଡ ପାଇଁ ପ୍ରସ୍ତୁତି ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ, ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ, ଭୀମସାର ବୁର୍ଲାଠାରେ ୧୫ଟି ଲେଖାଏଁ ଅକ୍ସିଜେନ୍‌ ସୁବିଧା ଥିବା ବେଡ ଓ ୧୫ଟି ଆଇସିୟୁ ୨୦ଟି ଲେଖାଏଁ ବେଡ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟ ସବୁ ଜିଲ୍ଲା ଗୁଡିକରେ ୧୦ଟି ଲେଖାଏଁ ଅକ୍ସିଜେନ୍‌ ସୁବିଧା ଥିବା ବେଡ୍‌ ଓ ଆଇସିୟୁ ପ୍ରସ୍ତୁତ ରଖାଯିବ ।

କୋଭିଡ୍‌ ପରିଚାଳନା ପାଇଁ ବିଭିନ୍ନ ମେଡିକାଲ କଲେଜ ଓ ହସ୍‌ପିଟାଲଗୁଡିକରେ ମକ୍‌ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ହକି ବିଶ୍ୱକପ୍‌କୁ ଆଖି ଆଗରେ ରଖି କଟକ, ଭୁବନେଶ୍ୱର, ସୁନ୍ଦରଗଡ, ରାଉରକେଲା ଓ ଝାରସୁଗୁଡାଠାରେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଏହି ସବୁ ସ୍ଥାନରେ ବ୍ୟାପକ ଭାବେ କୋଭିଡ ପରୀକ୍ଷଣର ବ୍ୟବସ୍ଥା କରାଯିବା ସହ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କ୍ଷମତା ସଂପନ୍ନ ଡାକ୍ତରୀଦଳ ନିରନ୍ତର ଭାବେ ସ୍ୱାସ୍ଥ୍ୟ ସେବା ଦିଗରେ ଦୃଷ୍ଟି ରଖିବେ । ଏହି ସବୁଠାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପରିମାଣର ଗାଡି ଓ ମାନବ ସମ୍ବଳ ଯୋଗାଇ ଦିଆଯିବ ।

କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ସମସ୍ତେ ସ୍ୱତଃ ପ୍ରବୃତ ଭାବରେ ମାସ୍କ ବ୍ୟବହାର କରିବା ଓ ହାତ ଧୋଇବା, ଲକ୍ଷଣ ଥିଲେ ସଂଗ ରୋଧ ରହିବା ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଭଳି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ ।

ଏହା ସହିତ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ‘ଫିଭର କ୍ଲିନିକ’ ଖୋଲାଯିବ । ରାଜ୍ୟରେ ବାକି ରହିଯାଇଥିବା ବ୍ୟକ୍ତି ବିଶେଷଙ୍କୁ ବୁଷ୍ଟର ଡୋଜ୍‌ ପାଇଁ ବ୍ୟବସ୍ଥା କରାଯିବ । ରାଜ୍ୟରେ ବୁଷ୍ଟର ଡୋଜ୍‌ ପାଇଁ ଆବଶ୍ୟକୀୟ ଟୀକା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସଚିବ କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କିଶୋର ଦାସ ଏହି ମର୍ମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଆବଶ୍ୟକୀୟ ଟୀକା ଯୋଗାଇ ଦେବା ପାଇଁ ଅନୁରୋଧ କରିବେ ।

କେଭିଡ୍‌କୁ ଆଖି ଆଗରେ ରଖି ରାଜ୍ୟ ଔଷଧ ନିଗମ ପକ୍ଷରୁ ଆବଶ୍ୟକ ପରିମାଣର ଔଷଧ ମହଜୁଦ ଥିବା ବେଳେ କୋଭିଡ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣର କିଟ୍‌ ଓ ଅକ୍ସିଜେନ୍‌ ଆଗାମୀ ତିନିମାସ ପାଇଁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜନ ସଚେତନତା ସୃଷ୍ଟି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିୟମିତ ଭାବରେ ସୂଚନା ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି ।

ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଓଡିଶା ରାଜ୍ୟ ଓଡିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଡା. ପୋମା ଟୁଡୁ, ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିର ପ୍ରତିନିଧି ଏସ୍‌ସିବି ଓ ଭୀମସାର କଲେଜର ପ୍ରଫେସର, କିମ୍‌ସ ୟୁନିଭରସିଟିର ପ୍ରୋ ଚାନସେଲର ଡା. ସିବିକେ ମହାନ୍ତି, ଏମସ୍‌ ଓ ବିଶ୍ୱ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.