om academy

ରାୟଗଡ଼ାର ଜେକେପୁର କୋଭିଡ଼ କେୟାର ହସ୍ପିଟାଲ : କରୋନାରେ ଆଖି ବୁଜିଲେ ନବବଧୂ

jsm
  • ଚିକିତ୍ସାରେ ଅବହେଳା ଅଭିଯୋଗ, ଜାତୀୟ ରାଜପଥ ଅବରୋଧ
    ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନବବଧୂର ମୃତ୍ୟୁ ହୋଇଥିବା ଜଣାଯାଇଛି । ଆଉ ଏହି ମୃତ୍ୟୁକୁ ନେଇ ରାୟଗଡା ଜିଲ୍ଲାର ଜେକେପୁର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ଅବହେଳାରୁ ନବବଧୂର ମୃତ୍ୟୁ ହୋଇଥିବା ଅଭିଯୋଗରେ ଚାନ୍ଦିଲିଥାନା ଅନ୍ତର୍ଗତ ନାଇଡୁପେଟା ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥରେ ଶହଶ୍ରାଧିକ ପୁରୁଷ ଓ ମହିଳା ଅବରୋଧ କରି ଉତ୍ତେଜନା ପ୍ରକାଶ କରିଛନ୍ତି । ଏଭଳି ଭୁଲ ଘଟଣା ଭବିଷ୍ୟତରେ କେବେ ନ ହେବା ପାଇଁ ଜନତା ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ୩ ଘଣ୍ଟାଧରି ଏହି ଆନ୍ଦୋଳନ ପରେ ଘଟଣାର ତଦନ୍ତ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି । ନାଇଡୁପେଟାର ଜି ତ୍ରିବେଣୀ(୨୧) ଗତ ମେ ୨୧ ତାରିଖରେ ନିଜ ପିଉସୀ ପୁଅ ଜି. ରାମୁଲୁ, ଯିଏକି ମୂକ ଓ ବଧିର ନିଜେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ପରିବାରର ସହମତିରେ ବିବାହ କରିଥିଲେ । ଵିଵାହର ଚାରି ଦିନ ପରେ ଅର୍ଥାତ ୨୬ ତାରିଖରେ ଅସୁସ୍ଥତା ଅନୁଭବ କରିବା ପରେ କୋଭିଡ ସ୍ୱାବ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ସେହି ଦିନ ରାତିରେ ତ୍ରିବେଣୀଙ୍କୁ ଜେକେପୁର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ହିମୋଗ୍ଲୋବିନ କମ୍ ଥିବା ଜଣା ପଡିଥିଲା । ଆବଶ୍ୟକ ହୋଇଥିବା ଗ୍ରୁପର ରକ୍ତ ପ୍ରଦାନ କରାଯାଇଥିଲେ ମଧ୍ୟ ତ୍ରିବେଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇନଥିଲା । ଫଳରେ ଗତ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ମେଡିକାଲରେ ଠିକ୍‌ ଚିକିତ୍ସା ହେଉନଥିବା ଅଭିଯୋଗ କରିଥିଲେ । ପ୍ରତିବାଦରେ ଉକ୍ତ ଗାଁ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥକୁ ଲୋକେ ଅବରୋଧ କରିଥିଲେ । ଖବର ପାଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମା ଶଙ୍କର ବେହେରା, ଚାନ୍ଦିଲିଥାନା ଅଧିକାରୀ ବିଜୟଲଷ୍ମୀ ହିକ୍‌କା ଓ ପୋଲିସ ଏସ୍‌ଡ଼ିପିଓ ଦେବଜୌତି ଦାଶ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ମେଡିକାଲରେ ଉତ୍ତମ ଚିକିତ୍ସା ଦିଗରେ ଧ୍ୟାନ ଦିଆଯିବା ସହ ନବବଧୂ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଲୋକେ ଦାବୀ କରିଥିଲେ । ପ୍ରଶାସନର ପ୍ରତିଶ୍ରୁତି ପରେ ମଧ୍ୟାହ୍ନ ୧୨ଟାରେ ରାସ୍ତାରୋକ ହଟିଥିଲା । ତେବେ ଜେକେପୁର ସ୍ଥିତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନେକ ଥର ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଡାକ୍ତରଖାନାର ସ୍ଥିତି ବଦଳୁ ନାହିଁ । ଯାହାକୁ ନେଇ ଅନେକ ସମୟରେ ରାୟଗଡା ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷର କ୍ଷୋଭ ପ୍ରକାଶ ପାଇଛି ।
Leave A Reply

Your email address will not be published.