ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍ ସିରଫ୍ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟି ଚାଳନା ଯୋଗୁଁ ଗତ ଆଠ ମାସ ଭିତରେ ସ୍ଥାନୀୟ ଅଞ୍ଚଳର କଫ୍ ସିରଫ୍ ମାଫିଆମାନଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଅଛି । ଗତ କିଛିଦିନ ଧରି ଏହି ବେଆଇନ କଫ୍ ସିରଫ୍ କାରବାର କମିଥିଲେ ମଧ୍ୟ ପୁଣି ଏହି କାରବାର ଆରମ୍ଭ ହୋଇଥିବା ପୁଲିସକୁ ଖବର ମିଳିଥିଲା । ଏଥିପାଇଁ ପୁଲିସ ଅପରାଧୀଙ୍କୁ ଧରିବା ପାଇଁ ଦିନ ରାତି ଏକାକାର କରି ଦେଇଥିଲା । ପୁଲିସର ଟାର୍ଗେଟରେ ଅଭିଯୁକ୍ତ ରହିଥିବା ବେଳେ ଶେଷରେ ପୁଲିସ ପଞ୍ଝାରେ ପଡ଼ିଥିବା ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରି ଧଣ୍ଡାମୁଣ୍ଡା ଗ୍ରାମର ରଣଧିର ପଣିକା ଏବଂ ପାଟିମାଲ ଗ୍ରାମର ଆନନ୍ଦ ପଟେଲକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ବହୁ ଦିନରୁ ଏହି କଫ୍ ସିରଫ୍ କାରବାର କରି ଆସୁଥିବା ବେଳେ ପୁଲିସ ହାତରେ ଧରା ପଡୁନଥିଲେ । ସେ ଏକ ହିରୋ ଏଚ୍ଏଫ୍ ଡିଲକ୍ସ ବାଇକ ନଂ ଓଆର୍ ୦୩ଇ ୭୪୬୦ ଯୋଗେ ବାଞ୍ଜିପାଲି ପଟରୁ ଆସୁଥିବା ବେଳେ ଧଣ୍ଡାମୁଣ୍ଡା ଶିଶୁ ଉଦ୍ୟାନ ପାଖରେ ପୁଲିସ ତାଙ୍କୁ କାବୁ କରିନେଇଥିଲା । ସେମାନଙ୍କୁ ଖପ୍ରାଖୋଲ ଥାନାକୁ ଆଣି ପଚରା ଉଚରା କରିବା ପରେ ଜଣାପଡିଥିଲା ଯେ, ପାଟଣାଗଡ଼ ଥାନା ପଣାମୁଣ୍ଡା ଗ୍ରାମର ରମେଶ ବାଗ ସେମାନଙ୍କୁ କଫ୍ ସିରଫ୍ ଯୋଗାଉଥିବା ଜାଣିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ତାଙ୍କ ଗାଁରୁ କାବୁକରି ଥାନାକୁ ଆଣିଥିଲେ । ଅଭିଯୁକ୍ତମାନଙ୍କଠାରୁ ୪୬ ବୋତଲ କଫ୍ ସିରଫ୍, ୧୦ ଟି ନିଶା ବଟିକା, ଦୁଇଟି ମୋବାଇଲ ଫୋନ ଏବଂ ୧୩୦୦ ଟଙ୍କା ପୁଲିସ ଜବତ କରିବା ସହିତ କେସ ନଂ ୧୪/୨୦୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଏସ୍ଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି ।