କଫ୍‌ ସିରପ୍ ମାଫିଆ ଡାକୁଛନ୍ତି ତ୍ରାହି ତ୍ରାହି : ଏକ୍ସନ ମୋଡ଼ରେ ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରପ୍‌ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଗତ କିଛିଦିନ ଧରି ଏହି ବେଆଇନ କଫ୍‌ ସିରପ୍‌ କାରବାର କମିଥିଲେ ମଧ୍ୟ କିଛି ଦିନର ନୀରବତା ପରେ ପୁଣି କଫ ସିରପ୍‌ ମାଫିଆଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କହିବାକୁ ଗଲେ କଫ୍‌ ସିରପ୍‌ ମାଫିଆମାନେ ତାଙ୍କର ଧନ୍ଦା ବନ୍ଦ କରିନାହାନ୍ତି । ପୁଲିସର ଟାର୍ଗେଟରେ ଅଭିଯୁକ୍ତମାନେ ରହିଥିବା ବେଳେ ଶେଷରେ ପୁଲିସ ପଞ୍ଝାରେ ପୁଳାପୁଳା ମାଫିଆ ଧରାପଡି ଜେଲ ଯାଉଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଗଠନ କରାଯାଇ ବଡ଼ଗୁର୍ଜିଭଟା ନିକଟସ୍ଥ ବ୍ରିଜ ନିକଟରେ ବେଆଇନ ଭାବେ କଫ୍‌ ସିରପ୍‌ ଚାଲାଣ ହେଉଥିବା ଖବର ପାଇ ପୋଲିସ ମାଡି ବସିଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଲାଠୋର ଥାନା ଅନ୍ତର୍ଗତ ଜାମଚୁଆଁ ଗ୍ରାମର କମଳକାନ୍ତ ଖମାରୀ (୪୦), ଜଗନ୍ନାଥ ଶବର(୨୮) ଶାହାଜପାଣି ଗ୍ରାମର ଧୋବା ମେହେର(୩୪) ଏବଂ ତୁରକେଲା ଥାନା ଅନ୍ତର୍ଗତ ମହନିଲହ ଗ୍ରାମର ଧୁବଳେଶ୍ୱର ସାହୁ । ଏମାନଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧୦୦ ବୋତଲ କଫ ସିରଫ ସହ ଦୁଇଟି ବାଇକ ନଂ ଓଡି ୦୩ ୱାଇ ୨୯୭୩, ଓଆର ୧୭ଏଚ ୯୪୯୦, ନଗଦ ୧୪୦୦ ଟଙ୍କା, ଗୋଟିଏ ଷ୍ଟ୍ରିପ ନିଶା ବଟିକା ଜବତ କରିଥିବା ବେଳେ ମୁଖ୍ୟ ଆସାମୀ ତୁରକେଲା ଥାନା ଅନ୍ତର୍ଗତ ମଳିକଦରୋ ଗ୍ରାମର ତ୍ରିନାଥ ରଣା ଫେରାର ଅଛି ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୯୪/୨୦୨୩ରେ ୨୭୪, ୨୭୫, ୨୭୬ ଓ ୧୨୦ବି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନାଧିକାରୀ ଶ୍ରୀ ସାହୁଙ୍କୁ ପଚାରିବାରୁ ଖପ୍ରାଖୋଲ ଥାନା ଅଞ୍ଚଳରେ ବେଆଇନ କଫ୍‌ ସିରପ୍‌ କାରବାର ରୋକିବା ଏବଂ ଅଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ପ୍ରକାଶ କରିଛନ୍ତି । ଲାଠୋର ପୋଲିସ ଏବଂ ତୁରେକେଲା ପୋଲସ ଯଦି ତତ୍ପରତା ସହ ଅପରାଧୀମାନଙ୍କୁ ଧରିବାରେ ଚେଷ୍ଟା କରୁଥାନ୍ତା ତା’ହେଲେ ଅପରାଧୀମାନେ ଖପ୍ରାଖୋଲ ଅଞ୍ଚଳକୁ ଆସି ବେଆଇନ୍‌ କଫ୍‌ ସିରପ୍‌ ଚୋରା କାରବାର କରୁନଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.