
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ନିକଟସ୍ଥ ଦେଶୀ ମଦ ଭାଟି ନିକଟରେ ଦୁଇ ଜଣ ବ୍ୟକ୍ତି ବେଆଇନ ଭାବେ କଫ ସିରପ୍ ବିକ୍ରି କରୁଥିବା ସମୟରେ ଜଣକୁ ପୋଲିସ କାବୁ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟା ସମୟରେ ଖପ୍ରାଖୋଲ ପୋଲିସ ପାଚେରରୁ ଧଣ୍ଡାମୁଣ୍ଡା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଦୁଇଜଣ ବ୍ୟକ୍ତି ଧଣ୍ଡାମୁଣ୍ଡା ପାଚେର ରାସ୍ତା ଉପରେ ଥିବା ଦେଶୀ ମଦ ଭାଟି ନିକଟରେ ବେଆଇନ ଭାବରେ କଫ ସିରପ ବିକ୍ରି କରୁଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନିଲ ନିଆଲଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସାଥୀ ପାଚେର ଗ୍ରାମର ଗଙ୍ଗା ସାହୁ ଫେରାର ହୋଇଯାଇଥିଲେ । ଗିରଫ ଅଭିଯୁକ୍ତ ଅନିଲ ନିଆଲଙ୍କ ପାଖରୁ ୧୭ଟି ବୋତଲ ଏସ୍କଫ୍ ସିରପ୍, ଗୋଟିଏ ଷ୍ଟ୍ରିପ ନିଶା ବଟିକା, ଗୋଟିଏ ହିରୋ ପେଶନ ପ୍ରୋ ବାଇକ ନଂ ଓଆର ୧୭ ଜି – ୪୩୧୮, ୧୫୦୦ ଟଙ୍କା ଏବଂ ଗୋଟିଏ ମୋବାଇଲ ପୋଲିସ ଜବତ କରି ଖପ୍ରାଖୋଲ ଥାନାକୁ ଆଣି ଅଧିକ ପଚରାଉଚରା କରୁଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ୍ ନଂ ୯୩/୨୦୨୩ରେ ଗୋଟିଏ ମାମଲା ଋଜୁ ହୋଇ ଅଭିଯୁକ୍ତଙ୍କୁ ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ବେଲ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।