କଂଗ୍ରେସର ପଦଯାତ୍ରା

ସକମା-ଫାସଡରେ ଯୋଗଦେଲେ ନରସିଂହ ଓ ସମରେନ୍ଦ୍ର
ବିଜେଡି – ବିଜେପିର ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ପ୍ରଚାର କଲେ
କଂଗ୍ରେସ ହିଁ ଲୋକଙ୍କ ପାଖକୁ ବିକାଶ ପହଞ୍ଚାଇଥାଏ – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କଂଗ୍ରେସ ପକ୍ଷରୁ ସକମା-ଫାସଡରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଗାଁରୁ ଜିଲ୍ଲା, ଜିଲ୍ଲାରୁ ରାଜ୍ୟ ଯେଉଁ ଆଡେ ଦେଖିଲେ ଲୋକେ ବିଜେଡି ଓ ବିଜେପିର ମିଥ୍ୟା ପ୍ରତିଶୃତି ଦିଆ ରାଜନୀତି ଯୋଗୁଁ ଘୋର ଦୁର୍ଦ୍ଦଶାରେ ରହୁଛନ୍ତି । ଶିକ୍ଷା ହେଉ କି କୃଷି, ଗମନା ଗମନ ହେଉ କି ସ୍ୱାସ୍ଥ୍ୟ କୌଣସି ଗୋଟିଏ ବି ବିଭାଗ ଲୋକଙ୍କ ପାଇଁ ଠିକ୍ ଭାବରେ କାମ କରୁନାହିଁ । ଶିକ୍ଷା ବିଭାଗରେ ଭିତ୍ତିଭୂମି ଥିଲେ ହେଁ ପାଠ ପଢେଇବା ପାଇଁ ଶିକ୍ଷକ କର୍ମଚାରୀ ନାହାନ୍ତି । ନା ଡାକ୍ତରଖାନାରେ ଡାକ୍ତର ଅଛନ୍ତି ନା କୃଷକର ଜମିକୁ ଜଳସେଚନ ହୋଇପାରୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଏହା ଆଉ ବେଶି ଦିନ ଚଳିବ ନାହିଁ । ଲୋକେ ଜାଣିଗଲେଣି ଜାତୀୟ ସ୍ତର ହେଉ, ରାଜ୍ୟ ହେଉ କି ଜିଲ୍ଲା ହେଉ କଂଗ୍ରେସ ହିଁ କେବଳ ଲୋକଙ୍କ ପାଖକୁ ବିକାଶ ପହଞ୍ଚାଇ ଥାଏ ବୋଲି ଆଜି କଂଗ୍ରେସ ଦଳ ଡାକରାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସକମାଠାରେ ଫାସଡ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରାରେ ଯୋଗଦେଇ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଅଭିଭାଷଣରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ମିଥ୍ୟ ପ୍ରତିଶୃତିରେ ବିଶ୍ୱାସ କେବେ କରିନାହୁଁ । ଆମର ରାଜନୀତି ହେଉଛି ବିକାଶ । ଗତ ୯ ବର୍ଷରେ ବଲାଙ୍ଗିରର ପ୍ରତ୍ୟେକ କ୍ଷେତ୍ର ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘଟ, ଜଳସେଚନ, କ୍ରୀଡାରେ କଣ ବିକାଶ ହୋଇଛି ଲୋକେ ଜାଣିଛନ୍ତି । ଆଗାମୀ ଦିନରେ ସେମାନେ ଏ ସମସ୍ତ ବିକାଶକୁ ନଜରରେ ରଖି ରାଜନୈତିକ ନିଷ୍ପତ୍ତି ନେବେ ବୋଲି କହିଥିଲେ । ଯେଉଁମାନେ ନାରୀ ସଶକ୍ତିକରଣ କଥା କହୁଛନ୍ତି ତାଙ୍କ ଦଳ ପୂର୍ବତନ ମନ୍ତ୍ରୀ ଓ ଗତ ଥର ତାଙ୍କ ଦଳର ବିଧାୟକ ପ୍ରାର୍ଥୀ ବହୁ ନିର୍ଯ୍ୟାତନା ମାମଲାରେ ଜଡିତ ଏହା ସମସ୍ତେ ଜାଣିଛନ୍ତି । ଆଗାମୀ ଦିନରେ ନିଶ୍ଚିତ ଭାବରେ ସେମାନେ ଆଇନ ଜାଲରେ ଛନ୍ଦି ହେବେ, ସେମାନେ କଣ ଲୋକଙ୍କ ସମସ୍ୟାକୁ ନେଇ ଆଗକୁ ରାଜନୀତି କରିବେ ବୋଲି ପ୍ରଶ୍ନ କରିଛନ୍ତି । ଆଜିର ଏହି ପଦଯାତ୍ରାରେ କଂଗ୍ରେସ ଦଳର ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ତାଙ୍କ ହଜାର ହଜାର ସମର୍ଥକଙ୍କ ସହ ଯୋଗଦେଇଥିଲେ । କିରାବାହାଲ ଓ ଫାସଡଠାରେ ହୋଇଥିବା ସାଧାରଣ ସଭାଠାରେ ସମରେନ୍ଦ୍ର କହିଥିଲେ ଏ ଅଂଚଳ ପ୍ରତି ସବୁବେଳେ ତାଙ୍କର ଭାବାଗତ ସମ୍ପର୍କ ଅଛି । ସେ ସବୁବେଳେ ସମ୍ପର୍କକୁ ରାଜନୀତିଠାରୁ ଅଧିକ ରଖନ୍ତି । ନିର୍ବାଚନ ଲଢିବାର ବହୁତ ସମୟ ଅଛି । କିନ୍ତୁ ମୁଁ ନିଶ୍ଚିତ ଭାବରେ ଅନେକ ଦିନରୁ ଆମ ଭିତରେ ଥିବା ସମ୍ପର୍କକୁ ଗୁରୁତ୍ୱ ଦେବି । ଏହା ବି ସତ ଯେ ଉତ୍ତମ ସମ୍ପର୍କର ପ୍ରତିଫଳନ ଭୋଟ ରାଜନୀତି ଉପରେ ପଡିଥାଏ । ତେଣୁ ଲୋକେ ଯେଉଁମାନେ ମିଛ ରାଜନୀତିରେ ବିଶ୍ୱାସ କରନ୍ତି, ବାରମ୍ବାର ମିଥ୍ୟା ପ୍ରତିଶୃତି ଦିଅନ୍ତି, ଲୋକଙ୍କ ସମସ୍ୟା ସହିତ ନ ରହି ବଲାଙ୍ଗିରକୁ ଏକ ରାଜନୈତିକ ପର୍ଯ୍ୟଟନ ସ୍ଥଳି ଭାବରେ କେବଳ ସମୟ ଅତିବାହିତ କରିବା ପାଇଁ ଆସନ୍ତି ସେମାନଙ୍କୁ ଲୋକେ ଆଗାମୀ ଦିନରେ ଉଚିତ ଜବାଦ ଦେବେ ବୋଲି ସେ କହିବା ସହ ବଲାଙ୍ଗିରର ମେଡିକାଲ କଲେଜ, ଜଳସେଚନ, ଶିକ୍ଷା ଭିତ୍ତିଭୂମି, କ୍ରୀଡା ଭିତ୍ତିଭୂମି, ପର୍ଯ୍ୟଟନ ସ୍ଥଳି ବିକାଶ କେବଳ ଲୋକଙ୍କ ଏକତାର ଲଢେଇ ଓ କଂଗ୍ରେସ ଦଳ ଓ ନରସିଂହ ମିଶ୍ରଙ୍କ ପ୍ରତି ଥିବା ବିଶ୍ୱାସ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାନିପାଲି ଓ ଫାସଡଠାରେ ଚାରୋଟି ଉଚ୍ଚ କ୍ଷମତା ସମ୍ପନ୍ନ ହାଇମଷ୍ଟ ଲାଇଟ, ରାନିପାଲିଠାରେ ଦୁଇଟି ମଣ୍ଡପ ଓ ସକମାଠାରେ ରାମଲିଳା ମଣ୍ଡପର ଶୁଭ ଉଦ୍‌ଘାଟନ ଓ ଜଗନ୍ନାଥ ମଣ୍ଡପର ଭିତ୍ତିଭୂମି ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସକମା ସରପଂଚ ସଂଜିବ ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି ରାମ ମିଶ୍ର, ରାଜା ପଣ୍ଡା, ଲମ୍ବୋଦର ମହାକୁର, ବିପିନ ପଟେଲ, ଶ୍ରୀଧର ବାରିକ, ବ୍ଲକ ସରପଂଚ ସଭାପତି ବଳଦେବ ସାହୁ, ସରପଂଚ ଭରତ ଛତ୍ରିଆ, ପୂର୍ବତନ ଅଧ୍ୟକ୍ଷ ଯଶୋବନ୍ତି ବଘାର, ଲକ୍ଷ୍ମୀ ନନ୍ଦ, ରମ୍ଭା ରଣା, ଲକ୍ଷ୍ମୀ ନନ୍ଦ, ଶ୍ରୀୟା ସାହୁଙ୍କ ସହ ପଦଯାତ୍ରାରେ ୩ହଜାରରୁ ଅଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ ।

Leave A Reply

Your email address will not be published.