ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର ଆସିଛି । ଖୁବ୍ ଶୀଘ୍ର ପୁଲିସ ବିଭାଗରେ ନୂତନ ନିଯୁକ୍ତି ହେବାକୁ ଯାଉଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ପୁଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଖାଲିଥିବା ଥିବା ଏ ସମସ୍ତ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ ।
ରାଜ୍ୟର ୩୪ଟି ପୁଲିସ ଜିଲ୍ଲା ତଥା କମିସନରେଟ୍ ପୁଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ । ଏହାଦ୍ୱାରା ବିଭିନ୍ନ ଜିଲ୍ଲା ତଥା ଥାନାମାନଙ୍କରେ ଖାଲିଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୁଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାରୀ ସ୍ତରରେ ଏତେ ସଂଖ୍ୟକ ନିଯୁକ୍ତି ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଇଛି ।