ଲୋଇସିଂହା, (ବିମଳେନ୍ଦୁ ସାହୁ) : ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା କଲେଜ ପରିସରରେ ଏକ କେଣ୍ଟିନ ଖୋଲାଯିବା ପାଇଁ କଲେଜ କର୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି, ଯାହା ସ୍ୱାଗତଯୋଗ୍ୟ । ତେବେ ଏଥିପାଇଁ ନିର୍ଦ୍ଧିଷ୍ଟ ନିୟମାବଳୀ ସ୍ପଷ୍ଟ ଭାବେ ଉଲ୍ଲେଖ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ଅନୁଦାନପ୍ରାପ୍ତ ଲୋଇସିଂହା ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ରେ କଳା ଓ ବିଜ୍ଞାନ ବିଭାଗରେ ମୋଟ ୧୭୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ପରିସରରେ କୌଣସି କେଣ୍ଟିନ୍ ନ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ବିଦ୍ୟାର୍ଥୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଅସୁବିଧାକୁ ଦୂର କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଗତ ସେପ୍ଟେମ୍ବର ୧୧ ତାରିଖରେ କେଣ୍ଟିନ ଖୋଲିବା ପାଇଁ ନୋଟିସ ଜାରି କରିଥିଲେ । ସେହିମାସ ୧୫ ତାରିଖ ସୁଦ୍ଧା କଲେଜ ଡ୍ରପ ବାକ୍ସରେ କେଣ୍ଟିନ ଖୋଲିବା ପାଇଁ ଇଚ୍ଛୁକ ଆବେଦନକାରୀଙ୍କ ଠାରୁ ସିଲ୍ ହୋଇଥିବା ଲଫାପାରେ ଦରଖାସ୍ତ ଆହ୍ଵାନ କରାଯାଇଥିଲା । କୌଣସି ଏକ ଅଗ୍ରଣୀ ଦୈନିକ ଖବର କାଗଜରେ ଏଥିପାଇଁ ବିଜ୍ଞାପନ ପ୍ରକାଶନ କରାଯିବା ପାଇଁ ନିୟମ ରହିଥିଲେ ସୁଦ୍ଧା ତାହାର ଖୋଲାଖୋଲି ଉଲଂଘନ କରାଯାଇ ବିଭିନ୍ନ ପାନ ଦୋକାନ ଓ ଚା ଦୋକାନ ଗୁଡ଼ିକରେ ବିଜ୍ଞାପନ ସମ୍ବନ୍ଧୀୟ କାଗଜ ଛପା ଯାଇଥିବା ଦେଖିବାକୁ ମିଳିଛି । ଏଥିସହିତ ଆବେଦନ କରିବା ପାଇଁ ସ୍ୱଳ୍ପ ସମୟ ଦିଆଯାଇଥିବା ଯୋଗୁଁ ଅନେକ ଆଶାୟୀ ଆବେଦନ କରିବାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି । ଏହି ନୋଟିଫିକେସନରେ କୌଣସି ନିୟମାବଳୀ ଅଥବା କୋଟେସନ ଦର ନ ଥିବା ଯୋଗୁଁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Prev Post
Next Post