
ପାଟଣାଗଡ଼, (କେପିଏନ୍ଏସ୍) : ବିଘ୍ନରାଜ ପୁଟେଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଶୁକୃ ପୁଟେଲକୁ ଗିରଫ୍ କରି ପୋଲିସ କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଏସ୍ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୮ ତାରିଖ ଦିନ ତମିଆଁ ଗାଁର ବିଘ୍ନରାଜ ପୁଟେଲ ନିଖୋଜ ହୋଇଯାଇଥିବା ସଂକ୍ରାନ୍ତରେ ତାଙ୍କ ପତ୍ନୀ ଆରତି ପୁଟେଲ ମାର୍ଚ୍ଚ ୩୦ ତାରିଖ ଦିନ ଲରମ୍ଭା ଥାନାରେ ରିପୋର୍ଟ ଦେଇଥିଲେ । ମାର୍ଚ୍ଚ ୩୧ ତାରିଖ ଦିନ ନିଖୋଜ ବିଘ୍ନରାଜଙ୍କ ମୃତଦେହ ତମିଆଁ ଗାଁ ସ୍ଥିତ ଅଡ଼କ ପାଣି ନାଳରୁ ମିଳିଥିଲା । ସେହି ଦିନ ମୃତ ବିଘ୍ନରାଜ ପୁଟେଲଙ୍କ ପୁତୁରା ରତନ ପୁଟେଲଙ୍କ ରିପୋର୍ଟ ଆଧାରରେ ପୋଲିସ ହତ୍ୟା ମାମଲା ରୁଜ୍ଜୁ କରିଥିଲା । ଲରମ୍ଭା ଥାନା ଅଧିକାରୀ ରାଜେନ୍ଦ୍ର ବେହେରା କେସ୍ର ତଦନ୍ତ କରି ଗତ ୨ ତାରିଖ ଦିନ ଏହି ଘଟଣାର ଦୁଇ ଜଣ ଅଭିଯୁକ୍ତ ମୃତ ବିଘ୍ନରାଜଙ୍କ ପତ୍ନୀ ଆରତି ପୁଟେଲ ଏବଂ କୈଳାଶ ପୁଟେଲଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା । ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଅନ୍ୟତମ ଫେରାର୍ ଅଭିଯୁକ୍ତ ଶୁକୃ ପୁଟେଲ ବିଷୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଲରମ୍ଭା ଥାନା ଅଧିକାରୀ ଶ୍ରୀ ବେହେରା ଓ ତାଙ୍କ ଷ୍ଟାଫ୍ ଗତକାଲି ଭୁବନେଶ୍ୱର ସ୍ଥିତ ବାଲିଅନ୍ତା ଥାନା ଅଂଚଳର ଏକ ଇଟାଭାଟିରେ ଚଢ଼ାଉ କରି ଅଭିଯୁକ୍ତ ଶୁକୃ ପଟେଲ(୧୯)କୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରିଥିବା ଏସ୍ଡିପିଓ ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି ।