ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲିଙ୍ଗମାର୍ଣ୍ଣି ପଞ୍ଚାୟତ ପୂର୍ବ ସରପଞ୍ଚ ଅରବିନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବତନ ସିଆର୍ସିସି ଜୟଶ୍ରୀ ରାମ ସିକନ୍ଦର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲରେ ଗୋଷ୍ଠୀ ତଥା ଅଭିଭାବକମାନଙ୍କର ଭୂମିକା, ବିଭିନ୍ନ ଦକ୍ଷତା ହାସଲରେ ଶିକ୍ଷଣ ସାମଗ୍ରୀର ବ୍ୟବହାର ଓ ଅଭିନବ ପ୍ରଦର୍ଶନ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନଶିକ୍ଷକ ଶାନ୍ତନୁ ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଭିନବ ଶିକ୍ଷଣ ପଦ୍ଧତି ପ୍ରୟୋଗରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ କରିବାକୁ ଆହ୍ୱାନ ଦେଇଥିଲେ । ସଭାରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରାରୀ ରଥ ସଭାପତିତ୍ୱ କରି ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସୋମନାଥ ମହାପାତ୍ର, ବିଭୁତି ପୂଜାରୀ, ଶିକ୍ଷୟିତ୍ରୀ ମିନା ପଧାନ, କୁମାରୀ ମନୋରମା, ରେଣୁକା ବେରିହା, ମିନାକ୍ଷୀ ସାଓ ଓ ପାଚିକାମାନେ ସହଯୋଗ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନେ ସାମୁହିକ ଭାବେ ନିପୂଣ ଓଡିଶା ମେଳା ସଂଗୀତ ଓ ଶପଥ ପାଠ କରି ଏହି ମେଳାରେ ଲାଗିଥିବା ମୌଳିକ ସାକ୍ଷରତା ଷ୍ଟଲ, ମୌଳିକ ସଂଖ୍ୟା ଜ୍ଞାନ ଷ୍ଟଲ, ସୃଜନଶୀଳ କାର୍ଯ୍ୟକଳାପ ଷ୍ଟଲ ଓ ମତାମତ ଷ୍ଟଲ ବୁଲି ଦେଖିଥିଲେ । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଲଙ୍ଗଲକଟା ପ୍ରଧାନଶିକ୍ଷକ ସୁଦାମ ଖମାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।