ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବାମପାର୍ଶ୍ଵ କମାଣ୍ଡ ନିମନ୍ତେ ଭୂତଳ ପାଇପ୍ ଜଳସେଚନ ନେଟ୍‌ୱାର୍କ ପ୍ରଣାଳୀ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବାମପାର୍ଶ୍ଵ କମାଣ୍ଡ ନିମନ୍ତେ ଭୂତଳ ପାଇପ୍ ଜଳସେଚନ ନେଟ୍‌ୱାର୍କ ପ୍ରଣାଳୀ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିନାମା ଲୋୟର ସୁକତେଲ କେନାଲ ବିଭାଜନ ନଂ-୨ର ଅଧିକ୍ଷଣ ଯନ୍ତ୍ରୀ, ସୁରେନ୍ଦ୍ର କୁମାର ସେଠ ଏବଂ ମେଘା ଇଞ୍ଜିନିୟରିଂ ଓ ଇନଫ୍ରାଷ୍ଟ୍ରକଚର ଲିମିଟେଡ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମା ସ୍ୱାକ୍ଷରିତ ସମୟରେ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ନିରଞ୍ଜନ ରାଉତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ପ୍ରକଳ୍ପର ମୁଖ୍ୟ ହିସାବ ଅଧିକାରୀ, ପ୍ରକଳ୍ପର ସମସ୍ତ ଅଧିକ୍ଷଣ ଯନ୍ତ୍ରୀ, ପ୍ରକଳ୍ପ ତଥା ମେଘା ଇଞ୍ଜିନିୟରିଂ ଓ ଇନଫ୍ରାଷ୍ଟ୍ରକଚର ଲିମିଟେଡର ଅଧିକାରୀମାନେ ଉପସ୍ଥିତ ଥିଲେ । ଚୁକ୍ତିନାମା ପରେ ଏହି କାର୍ଯ୍ୟର ନିର୍ମାଣ ନିମନ୍ତେ ୬୩୪.୧୪ କୋଟି ଟଙ୍କା ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ୩.୦୦ କୋଟି ଟଙ୍କାର କାର୍ଯ୍ୟାଦେଶ ମେଘା ଇଞ୍ଜିନିୟରିଂ ଓ ଇନଫ୍ରାଷ୍ଟ୍ରକଚର ଲିମିଟେଡଙ୍କୁ ପ୍ରଦାନ କରାଯାଇଥିଲା । ଏହାର ନିର୍ମାଣ କାର୍ଯ୍ୟ ମେଘା ଇଞ୍ଜିନିୟରିଂ ଓ ଇନଫ୍ରାଷ୍ଟ୍ରକଚର ଲିମିଟେଡ ପକ୍ଷରୁ ୧୫.୧୦.୨୦୨୨ରୁ ଆରମ୍ଭ ହେବ ଓ ୧୪.୦୪.୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ପରିଚାଳନା ଓ ରକ୍ଷଣାବେକ୍ଷଣ ତା-୧୫.୦୪.୨୦୨୫ରୁ ଆରମ୍ଭ ହେବ ଓ ତା-୧୪.୦୪.୨୦୩୦ରେ ସମ୍ପୂର୍ଣ୍ଣ ହେବ ବୋଲି ଚୁକ୍ତିନାମା ହୋଇଛି । ଏହା ଦ୍ଵାରା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବାମପାର୍ଶ୍ଵରେ ୧୩୦୦୦ ହେକ୍ଟର କ୍ଷେତ୍ରରେ ଜଳସେଚନ ହୋଇପାରିବ ଏବଂ ଜଳସେଚନ ବିତରଣ ପ୍ରଣାଳୀ ପାଇଁ ପ୍ରଯୁକ୍ତି ବିଦ୍ୟା ସଂଗ୍ରହ ନିର୍ମାଣ (ତତ୍‌କ୍ଷଣାତ ବ୍ୟବହାର ଯୋଗ୍ୟ) ଚୁକ୍ତି ଦ୍ଵାରା ୧ ହେକ୍ଟର ଉପ-ଚକ, ମାଇକ୍ରୋ ଜଳସେଚନ, ଶକ୍ତି ସଂଯୋଗ ପଦ୍ଧତି, ବୈଦ୍ୟୁତିକ ଯାନ୍ତ୍ରିକ ଉପାଦାନ, ଭାଗୀଦାରୀ ପରିଚାଳନା ସୁବିଧା ତଥା ୫ ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ଚୁକ୍ତିନାମା ହୋଇଛି ।

Leave A Reply

Your email address will not be published.