- ତିନି ଚୋର ବାପ ପୁଅ ଗ୍ୟାଙ୍ଗ ଗିରଫ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଉରକେଲାରୁ ଆସି ବଲାଙ୍ଗିରରେ ଚୋରି କରୁଥିବା ତିନି ବାପ ପୁଅ ଚୋର ଗ୍ୟାଙ୍ଗକୁ ବଲାଙ୍ଗିର ଟାଉନ ଥାନା ପୁଲିସ ଗିରଫ କରିଛି । ସ୍ଥାନୀୟ ଚିମିନିଭାଟି ପଡା ଓ ଗାନ୍ଧୀନଗର ପଡାରେ ଘଟିଥିବା ଚୋରି ଘଟଣାର ତଦନ୍ତ କରୁ କରୁ ପୁଲିସ ଏମାନଙ୍କ ଖବର ପାଇଥିବା ବେଳେ କେବଳ ବଲାଙ୍ଗିରରେ ସେମାନଙ୍କ ବିରୁଦ୍ଧରେ ୭ଟି ମାମଲା ଥିବା ପୁଲିସ ପ୍ରକାଶ କରିଛି । ପ୍ରକାଶ ଯେ, ଚମିନି ଭାଟି ପଡା ନିବାସୀ ପ୍ରମୋଦ ନନ୍ଦଙ୍କ ଘରେ ଚୋରି ହୋଇଥିବା ନେଇ ଗତ ବର୍ଷ ଫେବୃଆରି ୨୮ ତାରିଖରେ ଅଭିଯୋଗ କରିଥିଲେ । ପୁଲିସ ସେହି ଘଟଣାର ତନାଘନା କରୁ କରୁ ଏହି ତିନି ବାପ ପୁଅ ଗ୍ୟାଙ୍ଗକୁ ଧରିଥିଲା । ସେମାନେ ରାଉରକେଲା ଛେଣ୍ଡ ନିବାସୀ ବାପା ରମେଶ ସୁନା(୬୦), ଦୁଇ ଭାଇ ସମୀର ସୁନା (୨୭) ଓ ଅର୍ଜୁନ ସୁନା (୨୫) ବୋଲି ଜଣାପଡିଛି । ତେବେ ପୁଲିସ ସେମାନଙ୍କୁ ନେଇ ସିନ ରିକ୍ରିଏସନ କରିବା ସହ ସେମାନଙ୍କ ପାଖରୁ ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ।