ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ନିଜ ପତ୍ନୀ ସଂତୋଷିନୀଙ୍କୁ ପ୍ରସୂତି କାଳୀନ କଷ୍ଟ ହେବାରୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ତେବେ ଗତକାଲି ସକାଳ ୯ ଟା ୧୫ ମିନିଟରେ ସନ୍ତୋଷିନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମା ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ରହିଥିଲେ । ଆଜି ସନ୍ତୋଷିନୀ ଶୌଚ ହେବା ପାଇଁ ଯିବା ସମୟରେ ତାଙ୍କ ଶାଶୁ ଶିଶୁ କନ୍ୟାଟିକୁ ଧରିଥିଲେ । ଜଣେ ମହିଳା ତାଙ୍କ ପାଖକୁ ଆସି ଟିକା ଦେବା ପାଇଁ କହି ସନ୍ତୋଷିନୀଙ୍କ ଶାଶୁଙ୍କ କୋଳରୁ ନେଇ ଯାଇଥିଲେ । ତେବେ ଅଳ୍ପ ସମୟ ଭିତରେ କନ୍ୟା ସନ୍ତାନଟିକୁ ଧରି ମହିଳା ଜଣକ କୁଆଡେ ଫେରାର ମାରିଥିଲେ ବୋଲି ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ହୋଇଛି । ଶିଶୁ ଚୋରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଘଟଣା ହୋଇଥିବା ବେଳେ ଶିଶୁ କନ୍ୟାର ଖୋଜ ଖବର ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିବା ଜଣାପଡିଛି ।