
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ଦେଓଗାଁ ଚିନିକଳ ସଂଘର୍ଷ ସମିତିର ଡାକରାରେ ବିଭିନ୍ନ ଚାଷୀ ସଂଗଠନ, ବୁଦ୍ଧିଜୀବୀ ତଥା ଶ୍ରମିକ ସଂଗଠନମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଜୁଟ ହୋଇ ଏକ ବିକ୍ଷୋଭ ସଭାରେରେ ସାମିଲ ହୋଇଥିଲେ । ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର୍ଷ ସମିତିର ଅନ୍ୟତମ ନେତା ତଥା ଭିଲେଜର୍ସ ଇଣ୍ଡିଆ ପାର୍ଟିର ସଭାପତି ଡଃ. ବିପିନ କୁଶଲିଆ, ପଶ୍ଚିମ ଓଡିଶା ସେବା ସଂଘର ସଭାପତି ରାଜେଶ ବଗର୍ତ୍ତି, ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପ୍ରଧାନ, ସଂପାଦକ ଚଗଲା ପରିଚ୍ଛା, ଆଇଏନ୍ଟିୟୁସି ଜିଲ୍ଲା ସଭାପତି କୃଷ୍ଣ ସାହୁ, କୋଶଲବାଦୀ ନେତା ତଥା ନାଗରିକ କମିଟିର ପୂର୍ବତନ ସଂପାଦକ ମନୋରଂଜନ ସାହୁ, ଚାଷି ମୁଲିଆ ସଂଘର ଜିଲ୍ଲା ସଭାପତି ପ୍ରେମାନନ୍ଦ ଭୋଇ, ଯୁବନେତା ସନ୍ଦିପ ବାଗ, ଆମ ଆଦମି ପାର୍ଟି ଜିଲ୍ଲା ସଭାପତି ଆଶିଷ ପାଣ୍ଡେ, ଚିନିକଳ କର୍ମଚାରୀ ସଂଘର ସଭାପତି ଅକ୍ଷୟ ପୁଟା, ଉପଦେଷ୍ଟା ସୁବଳ ରଣା, କୃଷକ ସଂଘର୍ଷ ସମିତିର ସମ୍ପାଦକ ମଧୁସୂଦନ କ୍ଷେତି, ସମାଜସେବୀ ଧନଞ୍ଜୟ କରଣ, ପିଣ୍ଟୁ ସେଠ, ଆଲୋକ ପରିଡାଙ୍କ ସମେତ ଶତାଧିକ କୃଷକ ଉକ୍ତ ସଭାରେ ଉପସ୍ଥିତ ରହି ଦେଓଗାଁ ଚିନିକଳକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ ତଥା ଦୃଢଦାବୀ କରିଥିଲେ । ବିଭିନ୍ନ ସରକାରଙ୍କ ଉଦାସୀନ ମନୋଭାବକୁ ସମାଲୋଚନା କରାଯାଇ ମୋହନ ମାଝି ସରକାରଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବୀ କରାଯାଇଥିଲା । ଅନ୍ୟଥା ସଂଘର୍ଷ ସମିତି ଭବିଷ୍ୟତରେ ଦୁର୍ବାର ଆନ୍ଦୋଳନର ଚେତାବନୀ ଦେଇଛି । ପ୍ରକାଶ ଥାଉକି ବଲାଙ୍ଗିର ଜିଲ୍ଲାର ଏକ ମାତ୍ର କୃଷିଭିତ୍ତିକ ଶିଳ୍ପ ହେଉଛି ଏହି ବନ୍ଦ ପଡିଥିବା ଚିନିକଳ । ଆଖୁ ଏକ ଅର୍ଥକାରୀ ଫସଲ ହୋଇଥିଲେ ମଧ୍ୟ ଚିନିକଳ ବନ୍ଦ ଥିବାରୁ ଚାଷୀ ଅଭାବି ବିକ୍ରିର ଶିକାର ହେଉଛି ଏବଂ ତତ୍ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପାଖାପାଖି ୨୦ ହଜାର ଲୋକ ପ୍ରଭାବିତ ହେଉଛନ୍ତି । ସୌଭାଗ୍ୟ କ୍ରମେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗିର ଜିଲ୍ଲାରୁ ହୋଇଥିବାରୁ ଜିଲ୍ଲାର ଚାଷୀମାନେ ଚିନିକଳର ପୁନଃ କାର୍ଯ୍ୟକ୍ଷମ ନେଇ ବିଶଷେ ଆଶାବାଦୀ ଅଛନ୍ତି । ସଭା ଶେଷରେ ରାଜେଶ ବଗର୍ତ୍ତି ସମସ୍ତ ସଂଗ୍ରାମୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଂଗ କରିଥିଲେ । ଏହି ମର୍ମରେ ଏକ ଦଫା ଦାବୀପତ୍ର ମାନନୀୟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।