ଚିଲିକା କୂଳରୁ ନୂତନ ପ୍ରଜାତିର ଆମ୍ଫିପୋଡ୍ ଜୀବ ଚିହ୍ନଟ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ଉପକୂଳରେ ନୂତନ ପ୍ରଜାତିର ସାମୁଦ୍ରିକ ଜୀବ ଆମ୍ଫିପୋଡ୍ଆ ଚିହ୍ନଟ ହୋଇଛି । ବିଭାଗର ସହକାରୀ ପ୍ରଫେସର ଶେଷଦେବ ପାତ୍ରଙ୍କ ତତ୍ଵାବଧାନରେ ବିଭାଗର ଗବେଷିକା ଗୀତାଞ୍ଜଳି ଭୋଇ ଏବଂ ଲିପିକା ତରଫଦାର ଚିଲିକା ଉପକୂଳରୁ ଚଳିତ ବର୍ଷ ଜାନୁଆରୀ ୨୨ ତାରିଖରେ ଏହାକୁ ଠାବ କରିବା ପରେ ଏହାକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ । ପରୀକ୍ଷା ନିରୀକ୍ଷା ବେଳେ ଆଇଲାଣ୍ଡ ବିଶ୍ଵବିଦ୍ୟାଳୟର କଲେଜ କର୍କର ପ୍ରଫେସର ଆଲାନ୍ ମାୟର୍ସ ସହଯୋଗ କରିଥିଲେ । ଏହି ପ୍ରଜାତିର ଆମ୍ଫିପୋଡ୍ ସମୁଦ୍ର ଉପକୂଳବର୍ତ୍ତୀର ସନ୍ତସନ୍ତିଆ ସ୍ଥାନରେ ବସବାସ କରୁଥିବା ବେଳେ ମହିଳା ପ୍ରଜାତିମାନେ ୬ ରୁ ୭ ଅଣ୍ଡା ଦେଇଥାନ୍ତି । ଏମାନଙ୍କ ଆକାର ଚିଙ୍ଗୁଡ଼ି ଭଳି ଦେଖାଯାଇଥାଏ । ଏମାନେ ଉଭୟ ଜଳ ଓ ସ୍ଥଳରେ ରହନ୍ତି । ଏମାନଙ୍କ ୧୩ ଯୋଡ଼ି ଗୋଡ଼ ବିଶିଷ୍ଟ ଅଟନ୍ତି । ଏମାନଙ୍କ ୩ ଯୋଡିଗୋଡ଼ ପହଁରିବା ପାଇଁ ବ୍ୟବହାର କରୁଥିବା ବେଳେ ୮ ଯୋଡ଼ି ଗୋଡ଼ ଚାଲିବା ପାଇଁ ଏବଂ ଦୁଇ ଯୋଡ଼ି ଗୋଡ଼ ଧରିବା ପାଇଁ ବ୍ୟବହାର କରନ୍ତି । ଏମାନଙ୍କ ରଙ୍ଗ ଧୂସର, ଧଳା ଏବଂ ଫିକା ହଳଦିଆ ଅଟେ । ଦେହ ଚେପଟା ସହ ଦୁଇ ଜୋଡ଼ି ଆଣ୍ଟିନା ଭଳି ନିଶ ରହିଛି । ଏମାନେ ବିଷାକ୍ତ ନଥିବାରୁ ମାଛ ଓ ପକ୍ଷୀ ମାନେ ଖାଦ୍ୟ ଭାବେ ବ୍ୟବହାର କରନ୍ତି । ଏମାନେ ପ୍ରାୟ ୧୫ ମିଲି ମିଟର ମଧ୍ୟରେ ଲମ୍ବ ଅଟନ୍ତି । ଏହାର ନାମ କରଣ ପ୍ରଫେସର ଆଲାନ୍ ମାୟର୍ସଙ୍କ ନାମରେ ଡେମୋରଚେଷ୍ଟିଆ ଆଲାନେନସିସ୍ ରଖାଯାଇଛି । ଏହି ଆମ୍ଫିପୋଡ୍ ଗୁଡିକର ବିବରଣୀ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଜର୍ନାଲ୍ ଜୁ ଟାକ୍ସାରେ ପ୍ରକାଶିତ ହୋଇଛି । ଏହାର ସମସ୍ତ ନମୁନା ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରରେ ରଖାଯାଇଥିବା ଏବଂ ଏହାର ଅଧିକ ତଥ୍ୟ ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା କରାଯାଉଥିବା ସାମୁଦ୍ରିକ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଶେଷଦେବ ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

sixteen − seven =

error: Content is protected !!