ଗଜପତିଙ୍କ ବେଶସାଜି ଛେରାପହଁରା କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ (ହିଞ୍ଜିଳି) ଅନ୍ତର୍ଗତ ଶେରଗଡ଼ ବ୍ଲକ୍ ଅଲାରିଗଡ଼ ଗ୍ରାମରେ ମଧ୍ୟ ରହିଛି, ଜଗନ୍ନାଥ ସଂସ୍କୃତିର ପ୍ରଚଳନ । ଏଠାରେ ଅବସ୍ଥାପିତ ବୃହତ୍ତମ ଜଗନ୍ନାଥ ମନ୍ଦିରରେ ମଧ୍ୟ ରହିଛି, ରଥଯାତ୍ରାର ପରମ୍ପରା ଏବଂ ଛେରାପହଁରା କାର୍ଯ୍ୟକ୍ରମ । ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପ୍ରଚଳିତ ହୋଇ ସଅଳ କ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏବଂ ପାର୍ଶ୍ଵ ଦେବାଦେବୀଙ୍କ ପାରମ୍ପରିକ ରୀତିନୀତିରେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା । ପହଣ୍ଡି ପରେ ରଥ ଉପରେ ଛେରାପହଁରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଜପତି ମହାରାଜାଙ୍କ ବେଶ ସାଜି ଛେରାପହଁରା କାର୍ଯ୍ୟ କରିଥିଲେ । ମହାପ୍ରଭୁଙ୍କ ଏହି ସେବା ସମ୍ପନ୍ନ କରିବା ଦ୍ୱାରା ଗଞ୍ଜାମ ଜିଲ୍ଲାରେ ଏକ ଆଧ୍ୟାତ୍ମିକ ଚେତନାର ଚହଳ ସୃଷ୍ଟି କରିଛି । ଜିଲ୍ଲାପାଳଙ୍କ ସାଙ୍ଗରେ ଜିଲ୍ଲା ପରିଷଦର ପ୍ରକଳ୍ପ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାଷନ ଯୋଗଦେଇଥିଲେ । ଅଲାରିଗଡ଼ରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ଏଭଳି ପାରମ୍ପରିକ ରଥଯାତ୍ରା ପାର୍ବଣ ଉତ୍ସବରେ ଅଗଣିତ ଭକ୍ତ ସମାବେଶରେ ଏହା ଯେ ଏକ ନୂତନ ଦିଗନ୍ତ ଚର୍ଚ୍ଚାରେ ଚକିତ କରିଛି । ସର୍ବୋପରି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରେମୀଙ୍କ ମନରେ ଅନେକ ଭକ୍ତି ଭାବନାରେ ନୂତନ ସଞ୍ଚାର ଆଣି ଏହି ପରମ୍ପରାରେ ଭିନ୍ନ ଉଦାହରଣ ସୃଷ୍ଟି କରିଛି ।

Leave A Reply

Your email address will not be published.