ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ୍‌

  • ପରିସ୍ଥିତି ନିୟନ୍ତ୍ରଣାଧୀନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପଛି । ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ଆଜି ଉକ୍ତ ପଞ୍ଚାୟତରେ ଡାକ୍ତରୀ ଟିମ୍ ପହଞ୍ଚି ଥିଲା । ମାତ୍ର ଝାଡ଼ାବାନ୍ତିରେ ମାତ୍ର କିଛି ଲୋକ ଆକ୍ରାନ୍ତ ହୋଇଛନ୍ତି । ୨ ଜଣଙ୍କ ମୃତ୍ୟୁ ହୋଇଛି ମାତ୍ର କାରଣ ଅସ୍ପଷ୍ଟ ରହିଛି । ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଡାକ୍ତରୀ ଟିମ୍ କହିଛନ୍ତି । ଏନେଇ ବାଲିଗୁଡା ଉପଜିଲ୍ଲାପାଳ ଡା. ରୀନା ପ୍ରଧାନ କହିଛନ୍ତି ଯେ, ଏହି ଘଟଣାକୁ ନେଇ ମେଡିକାଲ ଟିମ୍‌ ସହ ଗ୍ରାମ୍ୟ ପରିମଳ ବିଭାଗ ଟିମ୍‌ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଵାସ୍ଥ୍ୟ ପରୀକ୍ଷା କରିବେ ବୋଲି କହିଛନ୍ତି । ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ୍‌ ଅଫିସର ଡାକ୍ତର ଅଭିଶେକ ନାୟକ ଓ ତାଙ୍କ ଟିମ୍‌ ଏହି ଝିରିପାଣି ପଞ୍ଚାୟତର ବରଗାଁ, ନଳକୁଟି, କୁନାବେଡା, ଘାଟିପଦର, ମାଙ୍କଡ଼ ଚୁଆଁ, ବରଗୁଡା, ସୁରାଙ୍ଗବାରୁ ଗ୍ରାମକୁ ଯାଇ ଅଧିବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଚିକିତ୍ସା କରାଇଛି । ଚିକିତ୍ସା କରି ଡାକ୍ତର ଅଭିଷେକ ପ୍ରଧାନ କହିବା ପ୍ରକାରେ ଗାଁରେ ସୁରେନ୍ଦ୍ର ମାଝୀ (୧୬), ରାଡାମାରୁ ମାଝୀ (୬୪) କଣା ମାଝୀ(୨୫), କିଷାନ ମାଝୀ(୧୬) ସାମାନ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିଲେ । କିଛି ଦିନ ମଧ୍ୟରେ କୁନାବେଡା ଗାଁର ବଡଗୁଡି ମାଝୀ (୬୦), ମାଙ୍କଡଚୁଆଁ ଗାଁର ବାକଚୀ ମାଝୀଙ୍କ ମୃତ୍ୟୁ ହୋଇଛି । ମାତ୍ର ଝାଡ଼ାବାନ୍ତି ନୁହେଁ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଥିବା ଡାକ୍ତର ଅଭିଷେକ କହିଛନ୍ତି । ଗ୍ରାମ୍ୟ ପରିମଳ ବିଭାଗର ଯନ୍ତ୍ରୀ ରାମ ଚନ୍ଦ୍ର ଚୌଧୁରୀ ଓ ଯନ୍ତ୍ରୀ ସ୍ନେହଲତା ପ୍ରଧାନ ଏହି ଗ୍ରାମମାନଙ୍କୁ ଯାଇ ପାଣିକୁ ନେଇ ପରୀକ୍ଷା କରିଛନ୍ତି । ଗ୍ରାମବାସୀ ଯୋଗାଣ ହେଉଥିବା ବିଶୁଦ୍ଧ ଜଳ ବ୍ୟବହାର କରୁଛନ୍ତି । ଗ୍ରାମରେ କାଁ ଭାଁ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.